ରବି ଫସଲକୁ ଚରିଗଲେ ଗାଈ ଗୋରୁ, ଚିନ୍ତାରେ ଚାଷୀ

ରବି ଫସଲକୁ ଚରିଗଲେ ଗାଈ ଗୋରୁ, ଚିନ୍ତାରେ ଚାଷୀ

ଓଡିଶା କଟକ ଜିଲ୍ଲା

#ରବି_ଫସଲକୁ_ଚରିଗଲେ_ଗାଈ_ଗୋରୁ        ନିଶ୍ଚିନ୍ତକୋଇଲି  :  ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କ୍ରମାଗତ ଲଗାଣ ବର୍ଷାରେ ରବି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । କରୋନା ହେତୁ ମୂଲିଆ ନମିଳିବା କାରଣରୁ ଏହି ରବି ଫସଲ ବିଲରେ ଗାଈ ଗୋରୁ ଚରିବା ଘଟଣାଟି ଚାଷୀର ମେରୁଦଣ୍ଡକୁ ଏକରକମ ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ଗ୍ରାମ ପଞ୍ଚାୟତ ଚାଷୀ ବହୁଳ  । ଏହି ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଏହି ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ ଅଦିନିଆ ଲଗାଣ ବର୍ଷା , କାଳବୈଶାଖୀ ଜନିତ କୁଆପଥର ବୃଷ୍ଟି ହୋଇଥିଲା । ଚଳିତ ବର୍ଷ ଚାଷୀମାନେ ସ୍ଥାନୀୟ ଜାତୀୟକରଣ ବ୍ୟାଙ୍କ, ଘରୋଇ ଅର୍ଥଲଗାଣ କାରୀ ସଂସ୍ଥା, ସେବା ସମବାୟ ସମିତିରୁ ଋଣ ଆଣି ସର୍ବୋପରି ଗାଁ ମହାଜନଙ୍କ ଠାରୁ ହାତ ଉଦ୍ଧାରି ଆଣି ମୁଗ, ବିରି, କୋଳଥ ପ୍ରଭୃତି ରବି ଫସଲ ଚାଷ କରିଥିଲେ । କାଳବୈଶାଖୀ ଦ୍ୱାରା ଏହି ଫସଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ବିଲରେ ଯାହାକିଛି ଫସଲ ରହିଥିଲା କରୋନା ହେତୁ ମୂଲିଆ ମିଳୁନାହାଁନ୍ତି । ଫଳରେ ଚାଷୀ ତାର ରବି ଫସଲ ଉତ୍ପାଦନ କରି ପାରୁନାହିଁ । ଚାଷ ଜମିରେ ଫସଲ ପଡ଼ି ରହି ଖତ ଖାଉଥିଲା ବେଳେ ବୁଲା ଗାଈ ଗୋରୁ , ଛେଳି ,ମେଣ୍ଢା, ମଇଁଷି ପ୍ରଭୃତି ଏହି ବିଲରେ ଅବାଧରେ ପ୍ରବେଶ କରି ଖାଇଯାଉଥିବାର ଅଭିଯୋଗ ହୋଇଛି । ଏହା ଚାଷୀଙ୍କ ନିମନ୍ତେ ଚିନ୍ତା ଓ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଚାଷୀ କିପରି ତାର ଋଣ ପରିଶୋଧ କରିବ ସେଥିନିମନ୍ତେ ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି । ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ତଥା କ୍ଷତିପୂରଣ ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହୋଇଛି ।