ଯୋରନ୍ଦା ମେଳାରେ ଝାଡ଼ ଦର୍ଶନ କଲେ ୫ ଲକ୍ଷ ଶ୍ରଦ୍ଧାଳୁ

ଓଡିଶା ଜିଲ୍ଲା ଢେଙ୍କାନାଳ ପର୍ଯ୍ୟଟନ ବଡ ଖବର ରାଜ୍ୟ

ଯୋରନ୍ଦା : ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମାଧାମ ମହିମାଗାଦିରେ ଆଜି ୧୪୭ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଆଜି ଚତୁର୍ଦ୍ଦଶୀରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଆସିଥିବା ୫ ଲକ୍ଷରୁ ଉର୍ଦ୍ଧ୍ୱ ସାଧୁ, ଭକ୍ତ ଓ ଶ୍ରଦ୍ଧାଳୁ ଝାଡ଼ ଦର୍ଶନ କରିଛନ୍ତି। ଆଜି ଦିନସାରା ସାମାନ୍ୟ ଓ ମଧ୍ୟମ ଧରଣର ବର୍ଷା ଲାଗିରହିଲା ପରେ ବି ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା କମ ହୋଇ ନ ଥିଲା।

ମହିମାଗାଦିରେ ପ୍ରଥମ ଦିନ ଚତୁର୍ଦ୍ଦଶୀ ଉପଲକ୍ଷେ ମୁଖ୍ୟ ଉପାସନା ପୀଠ ଗାଦିମନ୍ଦିରରେ ଝାଡ଼ ଦର୍ଶନ କରିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସହ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡରୁ ଭକ୍ତ ଓ ସାଧୁମାନେ ପହଞ୍ଚିଥିଲେ। ସେହିପରି ପଡୋଶୀ ଦେଶ ନେପାଳ, ଭୁଟାନ ଓ ତିବ୍ବତରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତ ମହିମାଗାଦି ପହଞ୍ଚି ଝାଡ଼ ଦର୍ଶନ କରିଥିଲେ।

ମହିମା ସାଧୁ ଓ ଭକ୍ତମାନଙ୍କ ଅଲେଖ ମହିମା ଧ୍ୱନୀରେ ଯୋରନ୍ଦା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମହଣ ମହଣ ଘୃତାହୁତି ଯୋଗୁଁ ଗଗନ ପବନ ପବିତ୍ରମୟ ପରିବେଶ ସୃଷ୍ଟି କରିଥିଲା। ଆଜି ଭୋର ୩ଟା ୩୦ ମିନିଟ ସମୟରେ ନୀତି ମନ୍ଦିରରୁ ନୀତି ଅଳଙ୍କାର ଗାଦିମନ୍ଦିରକୁ ଅଳଙ୍କାର ଗାର୍ଡଙ୍କ ସହାୟତାରେ ଯାଇ ନୀତି କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଝାଡୁ ନୀତି ସଂପୂର୍ଣ୍ଣ କରାଯାଇଥିଲା।

୭ ଦିବସୀୟ ମେଳାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେହିପରି ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।