ମଠ ଭାଙ୍ଗି ଷ୍ଟାଣ୍ଡ ବେପାର ! ସରକାରଙ୍କ କଥା-କାମ ଏମିତି

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

ପୁରୀ: ଶ୍ରୀକ୍ଷେତ୍ରରେ ମଠ ସଂସ୍କୃତି ପ୍ରତି ଚରମ ଅପମାନ। ଶ୍ରୀମନ୍ଦିର ସୁରକ୍ଷା ନାଁରେ ଚତୁଃପାର୍ଶ୍ୱରୁ ବହୁ ପୁରାତନ ମଠବାଡ଼ିକୁ ଧୂଳିସାତ୍ କରାଯିବା ପରେ ସେ ସବୁ ସ୍ଥାନରେ ଏବେ ଗଢ଼ି ଉଠିଛି ବାଇକ୍ ପାର୍କିଂ ସ୍ଥଳ। ନହେଲେ ଜୋତା ଷ୍ଟାଣ୍ଡ । ଖୋଦ୍ ପୁରୀ ପ୍ରଶାସନର ଏଭଳି ଲାଭଖୋର ମନୋବୃତ୍ତିକୁ ନେଇ ଗଭୀର ଆପତ୍ତି ଉଠାଇବା ସହ ପୁରୀର ବିଶ୍ୱସ୍ତରୀୟ ଐତିହ୍ୟ କରିଡର କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ବିଭିନ୍ନ ଧାର୍ମିକ ସଂଗଠନ।କୁଆଡ଼େ ଗଲା ପୁରୀର ବିଶ୍ୱସ୍ତରୀୟ ଐତିହ୍ୟ କରିଡର୍? ପୁରାତନ ଏମ୍ଆର୍ ମଠ ଜାଗାରେ ବାଇକ୍ ଷ୍ଟାଣ୍ଡ ପାଇଁ କିଏ ନେଲା ନିଷ୍ପତ୍ତି? ଯାହା ଛାତିରେ ଦିନେ ଛିଡ଼ା ହୋଇଥିଲା ୭ଶହ ବର୍ଷ ତଳର ପ୍ରାଚୀନ ଏମଆର୍ ମଠ ଓ ଐତିହ୍ୟ ସଂପନ୍ନ ରଘୁନନ୍ଦନ ଲାଇବ୍ରେରୀ। ତେବେ ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦଯର୍ୟକରଣ ନାଁରେ ପ୍ରଶାସନ ତାକୁ ଧୂଳିସାତ୍ କରି ଜାଗା ଅକ୍ତିଆରକୁ ନେଲା ପରେ ଏବେ ସେଠି ଚାଲିଛି ଏମିତି ପାର୍କିଂ ବେପାର ।  ଗତ ୫ ମାସ ଭିତରେ ସୌନ୍ଦର୍ଯ୍ୟକରଣ ନାଁରେ ଶ୍ରୀମନ୍ଦିର ଚୌହଦିର ୭୫ ମିଟର ଭିତରେ ବଳି ପଡିଛନ୍ତି ୧୭ଟି ସଂସ୍କୃତି ସଂପନ୍ନ ମଠ ।

ଯାହାଙ୍କ ମଧ୍ୟରେ ରହିଛି ରାମାନୁଜ ସଂପ୍ରଦାୟର ପୁରାତନ ଏମ୍ଆର୍ ମଠ ସହ ବଡ଼ ଆଖଡ଼ା, ସାନଛତା ଓ ଲଙ୍ଗୁଳି ଭଳି ଶ୍ରୀମନ୍ଦିର ପରମ୍ପରା ସହ ଗଭୀର ସଂପର୍କ ରଖୁଥିବା ମଠ। ପରିତାପର ବିଷୟ କେବଳ ଏମ୍ଆର ମଠ ଜମିରେ ବାଇକ୍ ଷ୍ଟାଣ୍ଡ ହୋଇନି । ବଡ଼ଆଖଡ଼ା ଓ ସାନଛତା ମଠ ସ୍ଥାନରେ ନିର୍ମାଣ ହୋଇଛି ଜୋତା ଷ୍ଟାଣ୍ଡ ଯାହା ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିବାବେଳେ ମଠ ସଂସ୍କୃତିର ଇଏ କି ପ୍ରକାର ସୁରକ୍ଷା ବୋଲି ବି ପ୍ରଶ୍ନ ଉଠିଛି। ଠିକ୍ ସେମିତି ପୁରୁଣା ମ୍ୟୁନିସିପାଲିଟି ମାର୍କେଟ ଭଙ୍ଗା ଯାଇ ସେଠାରୁ ଉଚ୍ଛେଦ ଦୋକାନୀଙ୍କୁ ପ୍ରତିଶ୍ରୁତି ମୁତାବକ ଥଇଥାନ କରାନଯାଇ ପାର୍କିଂ ଚାଲିଥିବା ଅଭିଯୋଗ ହୋଇଛି। ସେପଟେ ମଠ ଭାଙ୍ଗି ତା ସ୍ଥାନରେ ଏଭଳି ପଦକ୍ଷେପକୁ ପରୋକ୍ଷରେ ସାମାଲୋଚନା କରିଛନ୍ତି ଖୋଦ୍ ଏମ୍ଆର୍ ମଠ ଟ୍ରଷ୍ଟ ଅଧ୍ୟକ୍ଷ।