ବାଂଲାଦେଶ ନୂଆ ଚାମ୍ପିୟନ୍‌ ,ଲଢ଼ିକି ହାରିଲା ଭାରତ

ଦେଶ -ବିଦେଶ ଖେଳ ବଡ ଖବର

ପୋଚେଫଷ୍ଟ୍ରୁମ୍‌: ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା।

୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ୪୧ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଡିଏଲ୍ ନିୟମ ଅନୁଯାୟୀ, ବାଂଲାଦେଶ ଆଗରେ ୪୬ ଓଭରରେ ୧୭୦ ରନର ନୂଆ ଟାର୍ଗେଟ୍ ରଖାଯାଇଥିଲା ବାଂଲାଦେଶ ୪୨.୧ ଓଭରରେ ୭ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିବା ସହ ନୂଆ ବିଶ୍ୱ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। କ୍ୟାପଟେନ୍ ଆକବର୍ ଅଲୀ ୪୩ ଓ ରକିବୁଲ୍ ହାସନ୍ ୯ ରନରେ ଅପରାଜିତ ରହି ବାଂଲାଦେଶକୁ ଜିତାଇଛନ୍ତି।

ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ଆକବର୍ ଅଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ବାଂଲା ପେସ୍ ଆଟାକ୍ ନିଜ ସୁଇଂ ବଳରେ ଭାରତର ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶ ସାକ୍ସେନାଙ୍କୁ ବାନ୍ଧି ରଖିଥିଲେ । ଫଳସ୍ୱରୂପ ଭାରତ ତା’ର ପ୍ରଥମ ଓଭରରେ ସପ୍ତମ ଓଭରରେ ହରାଇଥିଲେ । ଭଲ ଫର୍ମରେ ଥିବା ଦିବ୍ୟାଂଶ ମାତ୍ର ୨ ରନ୍ କରି ଅଭିଷେକ ଦାସଙ୍କ ଶିକାର ହୋଇଥିଲେ। ଏହା ପରେ ଯଶସ୍ୱୀ ଓ ତିଳକ ବର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ ୯୪ ରନର ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଥିଲେ।

ତିଲକ ୩୮ (୬୫ ବଲ୍‌, ୩ ଚୌକା) ରନ୍ କରି ତାଞ୍ଜିମ ହାସନ୍ ସାକିବଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ୟାପଟେନ୍ ପ୍ରିୟମ ଗର୍ଗ (୭) କିଛି ଖାସ୍ କରିପାରିନଥିଲେ। ଯଶସ୍ୱୀ ଓ ୱିକେଟକିପର ଧ୍ରୁବ ଜୁରେଲ୍ ପୁଣିଥରେ ସ୍ଥିତି ସମ୍ଭାଳିଥିଲେ। ଯଶସ୍ୱୀ ଧୀରେ ଧୀରେ ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଶୋରିଫୁଲ୍ ଇସଲାମ୍ ଆଉଟ୍ କରି ବାଂଲାଦେଶକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

ଭାରତ ତା’ର ଶେଷ ୭ ୱିକେଟ୍ ମାତ୍ର ୨୧ ରନରେ ହରାଇ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ଭାରତ ଇନିଂସରେ ଦୁଇଟି ରନଆଉଟ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଧ୍ରୁବ ୨୨ ରନ୍ କରିଥିବା ବେଳେ ସିଦ୍ଦେଶ ବୀର (୦), ଅର୍ଥବ ଅଙ୍କୋଲେକର୍ (୩), ରବି ବିଶ୍ନୋଇ (୨), ସୁଶାନ୍ତ ମିଶ୍ର (୩), କାର୍ତ୍ତିକ ତ୍ୟାଗି (୦) ଦୁଇଅଙ୍କ ଛୁଇଁପାରିନଥିଲେ । ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ୩ଟି, ଶୋରିଫୁଲ୍ ଇସଲାମ୍ ଓ ତାଞ୍ଜିମ୍ ହାସନ୍ ସାକିବ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୧୭୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପ୍ନର ପରଭେଜ୍ ହୁସେନ୍ ଇମୋନ୍ ଓ ତାଞ୍ଜିଦ୍ ହାସନ୍ ପ୍ରଥମ ୱିକେଟ୍ ପାଇଁ ୫୦ ରନର ଭାଗୀଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଷ୍ଟାର୍ ସ୍ପିନର୍ ରବି ବିଶ୍ନୋଇ ଭାଙ୍ଗିଥିଲେ। ହାସନ୍ ୧୭ ରନ୍ କରି କାର୍ତ୍ତିକ ତ୍ୟାଗିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ବାଂଲାଦେଶର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇନଫର୍ମ ମହମଦୁଲ୍ଲ ହାସନ୍ ଜୟ (୮), ତୋହିଦ୍ ହୃଦୟ (୦) ଓ ଶାହାଦତ୍ ହୁସେନ୍ (୧)ଙ୍କୁ ମଧ୍ୟ ବିଶ୍ନୋଇ ନିଜର ଶିକାର ବନାଇଥିଲେ।

ଏହା ପରେ ସୁଶାନ୍ତ ମିଶ୍ର ଶାମିମ୍ ହୁସେନ୍ (୭) ଓ ଅଭିଷେକ ଦାସ (୫)ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ରିଟାୟର୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିବା ବେଳେ ଓପ୍ନର ପରଭେଜ୍ ପୁଣିଥରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କ୍ୟାପଟେନ୍ ଆକବର୍ ଅଲୀଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୪୧ ରନର ନିର୍ଣ୍ଣାୟକ ଭାଗୀଦାରୀ କରିଥିଲେ। ପରଭେଜ୍ ୪୭ ରନ୍ କରି ଯଶସ୍ୱୀଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ୟାପଟେନ୍ ଆକବର୍ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ରକିବୁଲ୍ ହାସନ୍ ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୨୭ ରନ୍ ଯୋଡ଼ିଥିଲେ। ଭାରତ ପକ୍ଷରୁ ବିଶ୍ନୋଇ ୩୦ ରନ୍ ଦେଇ ୪ଟି, ସୁଶାନ୍ତ ୨ଟି ଓ ଯଶସ୍ୱୀ ଗୋଟିଏ ୱିକେଟ୍ ନେଇଥିଲେ।