ଭାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର ରାଜ୍ୟ

କୋରାପୁଟ : ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା ଦୂର ହେଉନି। ଗାଁକୁ ରାସ୍ତା ନ ଥିବାରୁ ରବିବାର ଜଣେ ଗର୍ଭବତୀ ଭାରରେ ବୁହା ହୋଇ ନଦୀ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡା ଗ୍ରାମରେ। ଏହି ଗ୍ରାମର ଧବେନ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ  ଲୋକମାନେ ଏକ ଭାରରେ ତାଙ୍କୁ ବୋହି ମୁରାନ ନଦୀ ପାର କରିଥିଲେ। ପରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଚାଂୟତର ଘାଟଗୁଡା ଗାଁକୁ ନିତିଦିନିଆ ରାସ୍ତା ନାହିଁ। ଫଳରେ ଆମ୍ବୁଲାନ୍ସ ଯାଇ ପାରୁନି। ମୁରାନ ନଦୀ ପାର ହୋଇ ବର୍ଷ ତମାମ ଗ୍ରାମବାସୀ ଦଶମନ୍ତପୁର ଆସିଥାନ୍ତି। ଆଜି ଏହି ଗ୍ରାମର ଧବେନ ମୁଦୁଲିଙ୍କର ଗର୍ଭ ଯନ୍ତ୍ରଣା ହେବା ପରେ ତାଙ୍କୁ ବଡ କଷ୍ଟରେ ଏକ ଭାରରେ ଗ୍ରାମବାସୀ ବୋହି ମୁରାନ ନଦୀ ପାର କରାଇଥିଲେ।

ଏହି ଉପାନ୍ତ ଅଂଚଳର ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ସୂଚନା ଅନୁସାରେ, ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଚାଂୟତର ଘାଟଗୁଡା ଓ ବାଲିଘାଟ ଗ୍ରାମର ଲୋକମାନେ ନଦୀ ଆରପଟେ ଥିବାରୁ କୌଣସି କାମରେ ଦଶମନ୍ତପୁରକୁ ଆସିବା ପାଇଁ ନଦୀ ପାର ହେବାକୁ ପଡେ। ଏପରିକି ୨୦୧୧ରେ ୨ ଜଣ ଯୁବତୀ ନଦୀ ପାରି ହେବାବେଳେ ଭାସିଯାଇ ପ୍ରାଣ ହରାଇଥିଲେ। ତଥାପି ପ୍ରଶାସନର ନିଦ ଭାଙ୍ଗିନି। ନଦୀ ଉପରେ ପୋଲ ନିର୍ମାଣ କରିବା ସକାଶେ ବାରମ୍ବାର ଦାବି କରାଯାଇଥିଲେ ପ୍ରଶାସନ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।