ବିଧାନସଭା ହେବ ଓ୍ବାଇଫାଇ, ଲାପ୍‌ଟପ୍‌ ଧରି ଆସିବେ ବିଧାୟକ

ଓଡିଶା ବଡ ଖବର

ଭୁବନେଶ୍ବର : ବିଧାନସଭାକୁ ଏଣିକି ବିଧାୟକମାନେ ଲାପଟାପ ଧରି ଆସିବେ।  ବଜେଟ ଅଧିବେଶନରେ ଅର୍ଥ ବିଭାଗ ପକ୍ଷରୁ ବିଧାୟକ ମାନଙ୍କୁ ଲାପଟପ ଦିଆଯିବ । ଏହା ସହିତ ଦୁଇ ମାସରେ ବିଧାନସଭା ଓ୍ବାଇଫାଇ ହେବା ସହ ପେପର ଲେସ ହେବ। ଏନେଇ ଓକାକ ଏବଂ ବିଏସଏନଏଲ ସହିତ ଆଲୋଚନା ଶେଷ ହୋଇସାରିଛି। ଲାପଟପ ଦେବାକୁ ବିଧାୟକମାନେ ସ୍ବାଗତ କରିଛନ୍ତି ସତ କିନ୍ତୁ ଓଲଟି  କହିଛନ୍ତି, କେବଳ ଲାପଟପ ଧରାଇଦେଲେ ହେବନି ତଥ୍ୟ ଦେବା ଦରକାର ।

ହାଇଟେକ ହେବେ ବିଧାୟକ। ଏଥର ବିଧାନସଭାକୁ ନୂଆ ରୂପରେ ଆସିବେ ବିଧାୟକ। ସବୁ ବିଧାୟକ ଲାପଟପ ଧରି ବିଧାନସଭା ଆସିବେ। ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି। ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତ୍ତର ସମେତ ବିଭିନ୍ନ କାମ ଅନଲାଇନରେ କରିବେ। ଲାପଟପରେ ନେଭା ଆପ୍‌ ଅପଲୋଡ଼ କରାଯାଇ ଦିଆଯିବ। ଯେଉଁ ବିଧାୟକ ଲାପଟପ ଚଲାଇ ପାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ। ବିଧାନସଭାକୁ ଦୁଇ ମାସରେ ୱାଇଫାଇ, ଭିଡିଓ କନଫରେନସ ସୁବିଧା କରାଯିବ । ସଚିବାଳୟର ସବୁ କାର୍ଯ୍ୟକୁ ଅନଲାଇନ କରିବା ପାଇଁ ସ୍ବାନ ସପ୍ଟଓ୍ବୋର ପ୍ରସ୍ତୁତ କରାଯାଉଛି ।  ଏନେଇ ବିଏସଏନଏଲ ଓ ଓକାକ୍‌ ସହିତ କଥାବାର୍ତ୍ତା ସରିଛି । ଏଥିପାଇଁ ୧୧ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି।

ବିଧାନସଭା ପକ୍ଷରୁ ଦିଆଯିବାକୁ ଥିବା ଲାପଟପ ବ୍ୟବସ୍ଥାକୁ ବିଧାୟକ ମାନେ ସ୍ବାଗତ କରିଛନ୍ତି। କେବଳ ଲାପ୍‌ଟପ୍‌ ଦେଲେ ହେବନି ସରକାର ତଥ୍ୟ ପ୍ରଦାନ କରିବା ଦରକାର ବୋଲି ଅନେକ ବିଧାୟକ କହିଛନ୍ତି । କାରଣ ଅନେକ ସମୟରେ ପ୍ରଶ୍ନ ପଚାରଯାଉଛି ହେଲେ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି । ଏଣିକି ବିଧାୟକ ମାନେ ଏରିଆରେ ରହିଲେ ବି ଭିଡିଓ କନଫେରେନ୍ସ ଜରିଆରେ କମିଟି ବୈଠକ ଯୋଗ ଦେଇପାରିବେ।

ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଲୋକସଭା ଢାଞ୍ଚାରେ ବିଧାନସଭାକୁ ସୁରୁଖୁରରେ ଚଳାଇବା ପାଇଁ  ଆସନ୍ତା ୧୩ ତାରିଖ ଦିନ ୧୨ଟା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକକୁ ସବୁ ବିରୋଧୀ ଦଳ ସଦସ୍ୟଙ୍କୁ ଡକାଯାଇଛି । ବୈଠକରେ ବିଧାନସଭାରେ ଯାହା ଯାହା ସମସ୍ୟା ଅଛି ସେନେଇ ଆଲୋଚନା କରାଯିବ ।