ପ୍ରତିକାରର ରାସ୍ତା ଦେଖାଇଲା ପ୍ରତିବାଦ, ଦୁଇ ଅସହାୟ ଶିଶୁଙ୍କୁ ଉତ୍କଳ ବାଳାଶ୍ରମରେ ଥଇଥାନ କଲା ପ୍ରଶାସନ

ଓଡିଶା ଜିଲ୍ଲା ବଡ ଖବର ବିଶେଷ ଯାଜପୁର ରାଜ୍ୟ

ଯାଜପୁର : ଦୀର୍ଘ ୩ ବର୍ଷ ତଳୁ ବାପା ମରିଯାଇଛନ୍ତି । ବିଧବା ମାଆ ୨ ଶିଶୁଙ୍କ ମୁହଁରେ ଗଣ୍ଡେ ଦାନା ଦେଇପାରୁନାହିଁ । ବିଧବା ମହିଳା ଜାନକୀ ପ୍ରଧାନଙ୍କର ଘର ଖଣ୍ଡେ ମଧ୍ୟ ନାହିଁ । କେବଳ ଘର ନୁହେଁ ଘର ବଢିବା ପାଇଁ ଜମି ଖଣ୍ଡେ ନଥିବାରୁ ସରକାରୀ ଜାଗାରେ ଚାଳଛପର କରି ମୁଣ୍ଡ ଗୁଞ୍ଜିଛି । ସରକାର ଯୋଗାଉଥିବା ୧୫ କିଲୋ ଚାଉଳ ଓ ଗହମରେ ତିନି ଓଳି ୩ ମୁହଁରେ ଦାନା ଦେବା ସମ୍ଭବ ହୋଇପାରୁନାହିଁ ।

ସରକାରଙ୍କର ଗଣ୍ଡା ଗଣ୍ଡା ଯୋଜନା ଜାନକୀ ପାଇଁ ତୁଚ୍ଛ ହୋଇଯାଇଛି । ୧୧ ବର୍ଷର ଝିଅ ଅର୍ଥାଭାବ ପାଇଁ ବର୍ଷେ ହେଲା ପାଠ ପଢିପାରୁନାହିଁ । ୯ ବର୍ଷର ପୁଅ ୩ୟ ଶ୍ରେଣୀରେ ପାଠ ପଢୁଥିଲେ ବି ଭଲ କି ଗଣ୍ଡେ ଖାଇବାକୁ ପାଉନଥିବାରୁ ସେ ମଧ୍ୟ ଦୂର୍ବଳ । ଏପରିସ୍ଥଳେ ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ଅଳକାପାଟଣା ଗ୍ରାମର ସ୍ୱର୍ଗତ ଅକ୍ଷୟ ପ୍ରଧାନଙ୍କ ପତ୍ନୀ ବିଧବା ଜାନକୀ ଗତ ୩ ବର୍ଷ ଧରି ବାରବାର ଜିଲ୍ଲାପାଳଙ୍କ ଅଫିସ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟୀ ଅଫିସକୁ ତାର ଛୁଆ ୨ ଜଣଙ୍କର ଥଇଥାନ ପାଇଁ ଓ ନିଜର ଏକ ଘର ତଥା ଅନ୍ତଦୋୟ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ନିବେଦନ କରିଆସୁଛି ।

ତେବେ ଗତ ସୋମବାର ଦିନ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଜାନକୀଙ୍କର ଉଗ୍ରରୂପ ଦେଖିବାକୁ ମିଳିଥିଲା । ତାଙ୍କୁ ନ୍ୟାୟ ମିଳୁନାହିଁ । ତାଙ୍କ ଦୁଇ ଶିଶୁଙ୍କୁ ଅନାଥ ଆଶ୍ରମରେ ଥଇଥାନ କରାଯାଉନାହିଁ । ମୋ କଥାକୁ କେହି ଶୁଣୁନାହାଁନ୍ତି…….. ଏମିତି ପାଟିତୁଣ୍ଡ କରି ଜାନକୀ ନିଜର ଅସନ୍ତୋଷବ୍ୟକ୍ତ କରିଥିଲା । ଏ ଦୃଶ୍ୟ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିକୁ ଆସିବା ପରେ ଉପସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମଧ୍ୟ ପ୍ରଥମଥର ପାଇଁ ଏହି ଘଟଣାଟି ଜାଣିବାକୁ ପାଇଥିଲେ । ଶ୍ରୀ ଦାସ ତତ୍କାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କରଙ୍କୁ “ଆଜି ହିଁ ଏ ସମସ୍ୟାର ସମାଧାନ କର’’ ବୋଲି ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ କର କାର୍ଯ୍ୟାଳୟର କର୍ମଚାରୀ ଅର୍ଚ୍ଚନା କୁମାର ସାମନ୍ତ ଓ ଶିଶିର କୁମାର ମଲ୍ଲିକଙ୍କୁ ଏଠାରୁ ୫୦ କି.ମି. ଦୂର ମିର୍ଜାପୁରକୁ ପଠାଇ ନାବାଳିକା ମାମାଲୀ ଓ ୯ ବର୍ଷର ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଆଣି ଉତ୍କଳ ବାଳାଶ୍ରମରେ ଥଇଥାନ କରାଇଛନ୍ତି । ୨ ପିଲାଙ୍କ ସହିତ ଜାନକୀ ଉତ୍କଳ ବାଳାଶ୍ରମକୁ ଆସିଥିବା ବେଳେ ସେଠାରେ ସେ ଜିଲ୍ଲାପାଳ ଓ ସାମ୍ବାଦିକ ମାନଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।