ଖୋର୍ଦ୍ଧା/ ବ୍ରହ୍ମଗିରି/ରାଜନଗର: ବାର୍ଡ ଫ୍ଲୁ ଆତଙ୍କ ପରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି। ତେବେ, ଭିତରକନିକାରେ ଦୁଇଟି ବିଦେଶୀ ପକ୍ଷୀ ମରିଥିବା ସୂଚନା ମିଳିବା ପରେ ରାଜନଗ2ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଦେଶୀ ପକ୍ଷୀଙ୍କ ମଳ ଓ ପାଣି ନମୁନା ସଂଗ୍ରହ ପାଇଁ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରାଜନଗର ଡିଏଫ୍ଓଙ୍କୁ ଚିଠି ଲେଖାଯାଇଛି। ସେହିଭଳି, ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଚିଲିକା –ନଳବଣ ପକ୍ଷୀ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଅସୁସ୍ଥ ଥିବା ୧୫ଟି ବିଦେଶାଗତ ପକ୍ଷୀଙ୍କ ନମୁନା ସହ ୧୨୭୫ କୁକୁଡ଼ା, ବତକ ଆଦିର ରକ୍ତ ,ମଳ ଓ ଲାଳ ଆଦି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଳକୁ ପଠାଯାଇଛି। ସେହିଭଳି, ଚିଲିକା ଉପକୂଳ ବ୍ରହ୍ମଗିରି ବ୍ଲକ୍ରେ ବିଭିନ୍ନ କୁକୁଡ଼ା ଓ ବତକ ଫାର୍ମ ସହିତ ଘରୋଇ ଭାବରେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ରକ୍ତ, ଲାଳ ଓ ମଳ ନମୁନା ସଂଗୃହୀତ ହୋଇଛି।
ଆଜି ରାଜନଗର ବ୍ଲକ କୋଲଇିପୁର ପଂଚାୟତ ବଡପଲ୍ଲୀ ନିକଟରେ ଦୁଇଟି ବିଦେଶୀ ପକ୍ଷୀ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବରପାଇ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୃତ ପକ୍ଷୀଙ୍କୁ କୁକୁର ଟାଣି ନେଇ ସାରିଥିଲା। ବିଦେଶୀ ପକ୍ଷୀଙ୍କ ମୃତଦେହ ମିଳିବା ପରେ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି। ରାଜନଗର ପ୍ରାଣୀ ଚିକିତ୍ସାଧିକାରୀ ରାଜନଗର ଡିଏଫଓଙ୍କୁ ଚିଠି ଲେଖି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ ପାଇଁ ଅନୁମତି ଲୋଡିଛନ୍ତି। ବିଦେଶୀ ପକ୍ଷୀ ଭିଡ ଜମାଇଥିବା ସ୍ଥାନରୁ ପକ୍ଷୀଙ୍କ ମଳ ଓ ପାଣି ପିଉଥିବା ସ୍ଥାନରୁ ପାଣି ନମୁନା ସଂଗ୍ରହ ପାଇଁ ଚିଠି ଲେଖିଛନ୍ତି।
ଅପରପକ୍ଷେ, ଗତ କିଛି ଦିନ ହେଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ର ୭ଟି ପଞ୍ଚାୟତ ମଧ୍ୟରେ ଥିବା ଫାର୍ମଗୁଡ଼ିକରୁ ନିୟମିତ ଭାବରେ ନମୁନା ସଂଗୃହୀତ ହେଉଛି। ଗତ ସସ୍ତାହରେ ମୋଟ ୧୪୫ଟି ନମୁନା ପରୀକ୍ଷା ପାଇଁ ଫୁଲନଖରାସ୍ଥିତ ଏଡିଆର୍ଆଇକୁ ପଠାଯାଇଥିବା ଜଣାପଡ଼ିଛି।