ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯିବା ଦରକାର

ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯିବା ଦରକାର

ଓଡିଶା ବଡ ଖବର

#ଜୀବନ_ବଞ୍ଚାଉ_ବଞ୍ଚାଉ_ଜୀବିକା_ବୁଡ଼ି_ନଯିବା_ଦରକାର               ଭୁବନେଶ୍ୱର   :  କରୋନା ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ଏଭଳି ସ୍ଥିତିରେ ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯିବା ଦରକାର । ସେଥିପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବୋଲି ମଙ୍ଗଳବାର ଦିନ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ଜେନା କହିଛନ୍ତି,ଗ୍ରୀନ୍ ଓ ଅରେଞ୍ଜ ଜୋନ୍ ଜିଲ୍ଲା ବା ମ୍ୟୁନିସିପାଲ୍ କର୍ପୋରେସନରେ ଗ୍ରାମାଞ୍ଚଳ ଓ ସହରାଂଚଳରେ ସାଧାରଣ ଭାବେ ଶ୍ରମଭିତ୍ତିକ କାର୍ଯ୍ୟ ଚାଲିବ । ରେଡ୍ ଜୋନ୍ ଜିଲ୍ଲା ବା ମ୍ୟୁନିସିପାଲ୍ କର୍ପୋରେସନ୍ ଅନ୍ତର୍ଗତ ଗ୍ରାମାଞ୍ଚଳରେ ମଧ୍ୟ ସବୁପ୍ରକାର ଶ୍ରମଭିତ୍ତିକ କାର୍ଯ୍ୟ ଚାଲିବ । କେବଳ ରେଡ୍ ଜୋନ୍ ଜିଲ୍ଲାର ସହରାଞ୍ଚଳ ଓ ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଶ୍ରମିକ ଯଦି ସେହି ଅଞ୍ଚଳରେ ରହୁଛନ୍ତି, ତେବେ ସେମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟ କରାଯାଇପାରିବ । ରେଡ୍ ଜୋନର ସହରାଞ୍ଚଳଗୁଡ଼ିକୁ ବାହାରୁ କୌଣସି ଶ୍ରମିକଙ୍କୁ ଅଣାଯାଇ ପାରିବ ନାହିଁ ।
ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କର୍ଫ୍ୟୁ ଭଳି ପରିସ୍ଥିତି ଜାରି ରହିବା ହେତୁ ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ମାଲିକ, ଠିକାଦାର ଓ ଅନ୍ୟାନ୍ୟ କର୍ମଚାରୀମାନେ ସନ୍ଧ୍ୟା ୬ଟା ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଶ୍ରମିକମାନେ ସନ୍ଧ୍ୟା ୭ ଘଟିକା ପୂର୍ବରୁ ସେମାନଙ୍କ ଘରକୁ ଫେରିଯାଇ ପାରିବେ ।
ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶ୍ରମ ଆୟୁକ୍ତଙ୍କ ଅଧୀନରେ ଏକ ହେଲପ୍ଲାଇନ୍-୧୮୦୦୩୪୫୬୭୦୩ ଓ ହ୍ୱାଟସ୍ଆପ୍-୭୦୦୮୧୧୦୭୧୭ ଖୋଲାଯାଇଛି ବୋଳି ଶ୍ରୀ ଜେନା ପ୍ରକାଶ କରିଥିଲେ।