ଶବ ମାଗୁଛି ନ୍ୟାୟ 

ଶବ ମାଗୁଛି ନ୍ୟାୟ !

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଶବ_ମାଗୁଛି_ନ୍ୟାୟ  ପୁରୀ : ସ୍ୱର୍ଗଦ୍ୱାରରେ ହେଉଛି ଶବକୁ ଅସମ୍ମାନ। ଦାହ ସ୍ଥାନ ଅଭାବରୁ ୪ରୁ ୫ ଘଣ୍ଟା ଖୋଲାରେ ପଡ଼ି ରହୁଛି ମୃତଦେହ। ସଂଖ୍ୟା ବଢିଲେ ଅକଥନୀୟ ହୀନସ୍ତା ଭୋଗୁଛନ୍ତି ଆତ୍ମୀୟ। ଏମିତିକି ଖରା, ବର୍ଷା ମାଡ଼ରୁ ବି ବର୍ତ୍ତୁନି ଶବ। ବିଶ୍ରାମାଗାର କି ପାର୍କିଂ ସୁବିଧା ନଥିବାରୁ ପରିଜନଙ୍କ ଦୁର୍ଦ୍ଦଶା କହିଲେ ନସରେ। ସ୍ୱର୍ଗଦ୍ୱାରର ଅସରନ୍ତି ସମସ୍ୟାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଗର୍ଜିବା ପରେ ପୁରୀ ସଚେତନ ନାଗରିକ ମଞ୍ଚ ସରକାରଙ୍କୁ ଘେରିଛି। ତେଲେଙ୍ଗାନାର ମହାପ୍ରସ୍ଥାନମ୍‌ ଢାଞ୍ଚାରେ ସ୍ୱର୍ଗଦ୍ୱାରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ୫ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭୂମିପୂଜାକୁ ମଞ୍ଚ ସ୍ୱାଗତ କରିଛି ସତ, ହେଲେ ପ୍ରଭାବଶାଳୀଙ୍କ କବ୍‌ଜାରୁ ଜବରଦଖଲ ମୁକ୍ତ ନକରି ମାତ୍ର ୪୬ ଡିସିମିଲ୍ ଜାଗାରେ ପ୍ରକଳ୍ପ କିଭଳି ସମ୍ଭବ ବୋଲି ପ୍ରଶ୍ନ କରିଛି।

ତଥ୍ୟ କହୁଛି, ସ୍ୱର୍ଗଦ୍ୱାରକୁ ଦୈନିକ ଦାହ ପାଇଁ ଆସୁଛି ୭୦ରୁ ୮୦ ଶବ। ଅର୍ଥାତ୍ ବର୍ଷକୁ ସଂଖ୍ୟା ୨୦ରୁ ୨୫ ହଜାର ଆକଳନ କରାଯାଉଛି। ୨୦୫୦ ବେଳକୁ ଏହି ସଂଖ୍ୟା ଲକ୍ଷେ ଟପିଯିବ। ତେଣୁ ୩୦ବର୍ଷ ପରର ସ୍ଥିତିକୁ ଦେଖି ସରକାର ସ୍ୱର୍ଗଦ୍ୱାରକୁ ଜବରଦଖଲ ମୁକ୍ତ କରିବା ଜରୁରୀ। ଯଦିଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିଛି, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ।

ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ରୀରାମ ପ୍ରସାଦ ମିଶ୍ରଙ୍କ ସୂଚନା ଅନୁସାରେ, ସ୍ୱର୍ଗଦ୍ୱାର ଅଞ୍ଚଳରେ ୩୩ ଏକର ଜମିରୁ ୨୬ ଏକର ଶ୍ରୀମନ୍ଦିର ଖାତାକୁ ଫେରିଛି। ହେଲେ ସବୁ ସରକାରଙ୍କ ଅକ୍ତିଆରରେ ନାହିଁ, ଅଧିକାଂଶ ପ୍ରଭାବଶାଳୀଙ୍କ କବ୍‌ଜାରେ ଅଛି। ତେବେ ମାତ୍ର ୪୬ ଡିସିମିଲ୍ ନୁହେଁ, ବରଂ ୨ରୁ ୩ ଏକର ଜାଗାରେ ବିକାଶ କାମ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ତେବେ ସଂପ୍ରସାରଣ କାମକୁ ସମର୍ଥନ କରିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏବେ ଅପେକ୍ଷା ଏତେ ସବୁ ଘଣ୍ଟାଚଟକା ପରେ ପ୍ରଭାବଶାଳୀଙ୍କ କବ୍‌ଜାରୁ କେବେ ମୁକ୍ତ ହେଉଛି ସ୍ୱର୍ଗଦ୍ୱାର ଜମି?