ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ହେବ କଳିଙ୍ଗନଗର

ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ହେବ କଳିଙ୍ଗନଗର

ଓଡିଶା ବଡ ଖବର ବାଣିଜ୍ୟ

#ଇସ୍ପାତ_ଶିଳ୍ପର_ପେଣ୍ଠସ୍ଥଳୀ_ହେବ_କଳିଙ୍ଗନଗର   ଭୁବନେଶ୍ୱର : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗନଗରକୁ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ଗଢି ତୋଳାଯିବ। ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ଆର୍ସେଲର ମିତ୍ତଲ ପ୍ଲାଣ୍ଟକୁ ନେବା ପରେ ନିପନ୍‌ ଷ୍ଟିଲ୍‌‍ ଏଥିରେ ବଡ଼ ସହଯୋଗୀ ହୋଇଛି। ଏହାସହ ଜାପାନର ଇସ୍ପାତ କମ୍ପାନୀ ଜେଏଫ୍‌ଇ ଜେଏସ୍‌ଡବ୍ଲୁ ସହ ସହଭାଗୀ ହୋଇଛି। ଓଡ଼ିଶାର ଇସ୍ପାତ ଶିଳ୍ପରେ ଜାପାନର ଦୁଇଟି ବଡ଼ ଇସ୍ପାତ କମ୍ପାନୀ ଜେଏଫ‌୍‍ଇ ଓ ନିପନ ବଡ଼ ପୁଞ୍ଜିନିବେଶ କରିବ।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନରେ ଜାପାନ୍‌ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ। ଏହାସହ ଏହି ମିଶନରେ ଓଡ଼ିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢି ତୋଳାଯିବ।”

ସେ କହିଛନ୍ତି-“ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନକୁ ୧୪୦ ଏମ୍‌ଟିରୁ ୩୦୦ ଏମ୍‌ଟି କରାଯିବ। ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ, ସେଥିରୁ ଓଡ଼ିଶାରୁ ସିଂହ ଭାଗ ଇସ୍ପାତ ଉତ୍ପାଦନ ହେବ। କେବଳ ଇସ୍ପାତ ଉତ୍ପାଦନ ନୁହେଁ, ଇସ୍ପାତ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡ଼ିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ।”

ଶ୍ରୀ ପ୍ରଧାନ କହିଛନ୍ତି-“ଆଜିର ଆଲୋଚନାରେ ଓଡ଼ିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୃତ ବିବରଣୀ ଜାପାନର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଛି। କେବଳ ପର୍ଯ୍ୟଟନ, ଇସ୍ପାତ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶାର ବିକାଶ କରାଯାଇପାରିବ। ଏହାବ୍ୟତୀତ ୨୦୨୦ ମେକ ଇନ୍‌‍ ଓଡ଼ିଶା କନକ୍ଲେଭରେ ଜାପାନ ପାର୍ଟନର ହେବାକୁ ଅନୁରୋଧ କରାଯାଇଛି।”