ଭାରତୀୟ ଔଷଧ ଶିଳ୍ପ ଉପରେ ’କରୋନା’ ପ୍ରଭାବ : ନୀତି ଆୟୋଗର ଜରୁରୀ ବୈଠକ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଭାରତୀୟ_ଔଷଧ_ଶିଳ୍ପ_ଉପରେ_କରୋନା_ପ୍ରଭାବ  ନୂଆଦିଲ୍ଳୀ : ଚୀନରେ କରୋନା ଭୂତାଣୁ ସଂକ୍ରମଣ ଓ ଏହାର ବ୍ୟାପକତା ଯୋଗୁଁ  ଭାରତୀୟ ଔଷଧ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଭାରତ ସେଠାରୁ ଆମଦନୀ କରୁଥିବା ବିଭିନ୍ନ ସାମଗ୍ରୀର ଉପଳବ୍ଧତା ପ୍ରଭାବିତ ହୋଇଛି। ଔଷଧପତ୍ରରେ ବ୍ୟବହାର ହେଉଥିବା କଞ୍ଚାମାଲ ମୁଖ୍ୟତଃ ଚୀନ୍‍ରୁ ଆସିଥାଏ। ଏହି ଆମଦାନୀ ଏବେ ପ୍ରଭାବିତ ହୋଇଥିବାରୁ ତାହାର ମୁକାବିଲା କରିବା ପାଇଁ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

ଘରୋଇ ଔଷଧ କମ୍ପାନୀଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଔଷଧ ଉତ୍ପାଦନକୁ ବଢ଼ାଇ ପରିସ୍ଥିତିର ମୁକାବିଲା କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଔଷଧପତ୍ରର ଉପଲବ୍ଧତା ଦେଶରେ ବଜାୟ ରଖିବା ପାଇଁ ଆଲୋଚନା ହୋଇଥିଲା। ବଜାରରେ ଯେପରି ଔଷଧର ଅଭାବ ନ ରୁହେ ସେଥିପାଇଁ ବିଭିନ୍ନ ବିକଳ୍ପ ଉପାୟ ଅବଲମ୍ବନ କରିବାକୁ ଏଥିରେ ମତପ୍ରକାଶ ପାଇଛି। ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଚୀନ୍‍ ଘଟଣା ପରିପ୍ରେକ୍ଷୀରେ ଆମଦାନୀ ପ୍ରଭାବିତ
ହୋଇଥିବାରୁ ଭାରତୀୟ ଔଷଧ ଉଦ୍ୟୋଗ ଉପରେ ଯେଉଁ ପ୍ରଭାବ ପଡ଼ିଛି ତାହାର ମୁକାବିଲା କରିବା ପାଇଁ ନୂଆ ନୀତି ଘୋଷଣା କରାଯିବ।

ଏହି ବୈଠକରେ ଔଷଧ ବିଭାଗ ସଚିବ ପି.ଡି. ବାଘେଲା, ବାଇକନର କୀରଣ ମଜୁମ୍‍ଦାର ସ, ଜାଇଡସର ପଙ୍କଜ ପଟେଲ ଓ ଡକ୍ଟର ରେଡିସ୍‍
ଲାବୋରଟରୀର ଶତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ଚୀନ୍‍ ଉପରେ ଏବେ ଆଉ ନିର୍ଭର କରି ହେଉନଥିବାରୁ ଘରୋଇ ଉଦ୍ୟୋଗଗୁଡ଼ିକ ଔଷଧ ଉତ୍ପାଦନ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି।