ନାସାର ସତର୍କ : ପୃଥିବୀ ମାଡି ଆସୁଛି ଧୂମକେତୁ

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ :  ଚନ୍ଦ୍ର ଗ୍ରହଣର ଠିକ୍ ପରେ ପରେ ପୃଥିବୀ ଆଡକୁ ଏକ ବିଶାଳ ଧୂମକେତୁ ମାଡି ଆସୁଥିବା ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ (ନାସା) ସତର୍କ କରାଇ ଦେଇଛି। ନାସାର ଏଷ୍ଟ୍ରଏଡ୍ ଟ୍ରାକିଂ  ପ୍ରଣାଳୀ ଧୂମକେତୁ ୨୦୨୦ ଏବି-୨କୁ ଠାବ କରିଛି।

ନାସାର ସୂଚନା ଅନୁସାରେ ୧୨ ଜାନୁୟାରୀ ରବିବାର ଧୂମକେତୁଟି ପୃଥିବୀର ଅତି ନିକଟରେ ଗତିକରିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରହେ  ବୋଲି ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏଣୁ ପୃଥିବୀ ନିକଟରେ ଧୂମକେତୁର ଗତି  ଏକ ପ୍ରସଙ୍ଗ  ହୋଇପାରେ। ନାସା ଧୂମକେତୁର ଆକାର ଓ ବେଗ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି।

ଏହି ଧୂମକେତୁ ଘଣ୍ଟାପ୍ରତି ୨୮ ହଜାର ୪୪୦ କିଲୋମିଟର ବେଗରେ ଗତି କରୁଥିବା ବେଳେ ଏହାର ଆକାର ପ୍ରାୟ ୪୯ ଫୁଟ (୧୫ ମିଟର) । ଏକ ଡବଲ ଡେକର ବସ୍‌ର ପ୍ରାୟ ଦୁଇଗୁଣା ଏହି ଧୂମକେତୁ ଯେତିକି ବେଗରେ ଗତି କରୁଛି ଏଥିରେ ଲଣ୍ଡନ ସହରରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଦୂରତାକୁ ମାତ୍ର ୬ ମିନିଟରେ ପୂରଣ କରିପାରିବ। ମାନବ ନିର୍ମାଣ କରିଥିବା ବିମାନ ଏସଆର-୭୧ ବିମାନକୁ ଏପର୍ଯ୍ୟନ୍ତ ବିଶ୍ୱର ସବୁଠୁ ତୀବ୍ରଗତିରେ ଯାଇ ପାରୁଥିବା ବିମାନ ମନେ କରାଯାଉଛି। ତେବେ ଲଣ୍ଡନରୁ ନ୍ୟୁର୍କ ସହର ପହଞ୍ଚିବା ଲାଗି ଏହି ବିମାନକୁ ୧ ଘଣ୍ଟା ସମୟ ଲାଗୁଛି। ଏଥିରୁ ଧୂମକେତୁର ବେଗକୁ ସହଜରେ ଅନୁମାନ କରାଯାଇପାରେ।

ଏତେ ବିଶାଳ ଧୂମକେତୁ ଯଦି ପୃଥିବୀର ମାଧ୍ୟାକର୍ଷଣ କ୍ଷେତ୍ରଆଡକୁ ଭିଡିହୋଇ ଆସେ ତେବେ ଏହାର ସାମାନ୍ୟ ଆଘାତ ବି ପୃଥିବୀର ଏକ ବିଶାଳ ଭାଗକୁ ନିଶ୍ଚିହ୍ନ କରିବାକୁ ନିମିଷଟେ  ଲାଗିବନି। ଧୂମକେତୁ ଆସୁଥିବା ବେଗରେ ଯଦି ପୃଥିବୀ ସହ ଧକ୍କା ଲାଗେ ତେବେ ସମୁଦ୍ରରେ ୧୮୫ଫୁଟ ଉଚ୍ଚ ସୁନାମୀ ଉଠିବା କିଛି ବଡ କଥା ନୁହେଁ। ତେବେ ଧୂମକେତୁ ଯେଉଁ ଦିଗରେ ଗତି କରୁଛି ତାହା ଯଦି ଶେଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ ରହେ ତେବେ ଚିନ୍ତାର କୌଣସି କାରଣ ନାହିଁ ବୋଲି ନାସା କହିଛି।

ଯଦି ଧୂମକେତୁର ବେଗ ଓ ଦିଗ ଠିକ୍ ରହେ ତେବେ ତାହା ପୃଥିବୀଠାରୁ ୧ଲକ୍ଷ ୬୪୫ ହଜାର ୫୭୬ କିଲୋମିଟର ଦୂରରେ ଗତିକରିଯିବ। ତେବେ ଚନ୍ଦ୍ର ଗ୍ରହଣର ଠିକ୍ ପରେ ପରେ ଆସୁଥିବା ଏହି ଧୂମକେତୁ ପୂର୍ବରୁ ବି ୪ଟି ବିଶାଳକାୟ ଧୂମକେତୁ ପୃଥିବୀକୁ ଅତି ନିକଟରେ ଅତିକ୍ରମ କରିଥିଲେ।  ଏଥିରୁ ୩ଟି ଗତ ଡିସେମ୍ବର ଶେଷ ସପ୍ତାହରେ ପୃଥିବୀ ନିକଟ ଦେଇଯାଇଥିବା ବେଳେ ଗୋଟିଏ ଜାନୁୟାରୀ ପ୍ରଥମ ସପ୍ତାହରେ ପୃଥିବୀ ନିକଟରେ ଗତି କରିଥିଲା।