ଭାରତରେ ୧୦ କରୋନା ହଟସ୍ପଟ ଚିହ୍ନଟ

ଭାରତରେ ୧୦ କରୋନା ହଟସ୍ପଟ ଚିହ୍ନଟ

ଦେଶ -ବିଦେଶ ବଡ ଖବର

#ଭାରତରେ_୧୦_କରୋନା_ହଟସ୍ପଟ_ଚିହ୍ନଟ   ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଏହା ସତ୍ତ୍ୱେ ଗତ ୨୪ ଘଣ୍ଟାରେ ୩୮୮ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଫଳରେ ଦେଶରେ ୧୬୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆସି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ୧୦ଟି ‘ହଟସ୍ପଟ୍’ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଉତ୍ତରପ୍ରଦେଶ, ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ ଦୁଇଟି ଲେଖାଏଁ ହଟସ୍ପଟ୍ ରହିଥିବା ବେଳେ ଗୁଜୁରାଟ ଏବଂ ରାଜସ୍ଥାନରେ ଗୋଟିଏ ଲେଖାଏଁ ହଟସ୍ପଟ୍ ରହିଥିବା ଜଣାପଡିଛି |

ଦିଲ୍ଲୀର ନିଜାମୁଦ୍ଦିନ ୱେଷ୍ଟ ଏବଂ ଦିଲଶାଦ ଗାର୍ଡେନ

ଦିଲ୍ଲୀର ନିଜାମୁଦ୍ଦିନ ୱେଷ୍ଟ ଏବଂ ଦିଲଶାଦ ଗାର୍ଡେନକୁ ହଟସ୍ପଟ୍ ଭାବେ ଧରିବା ସହ ଏହି ଦୁଇଟି ଅଂଚଳ ଉପରେ ଅଧିକ ନଜର ରଖିଛନ୍ତି ସରକାର | ଦିଲ୍ଲୀସ୍ଥିତ ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରେ ମାର୍ଚ୍ଚ ୧-୧୫ପର୍ଯ୍ୟନ୍ତ ହଜାର ହଜାର ଲୋକ ତାବଲଗି ଜାମାତ ମଣ୍ଡଳୀରେ ଅଂଶଗ୍ରହଣ କରିଥିଲେ, ଯାହା ପରେ ଦେଶର ବିଭିନ୍ନ ସ୍ଥାନରେ କରୋନାଭାଇରସ୍ ସଂକ୍ରମଣର ଆଶଙ୍କା ବଢିଯାଇଥିଲା | ତେଲେଙ୍ଗାନାରେ ମୃତ୍ୟୁବରଣ କରିଥିବା ୮ଜଣ ଏବଂ ଜାମ୍ମୁ କାଶ୍ମୀରରେ ଜଣେ ନିଜାମୁଦ୍ଦିନରେ ଅନୁଷ୍ଠିତ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ ବୋଲି ଜଣା ପଡିଛି। କେବଳ ଦିଲ୍ଲୀରେ ୨୪ଜଣ ଅଂଶଗ୍ରହଣକାରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି | ଏହା ବ୍ୟତୀତ ୪୪୧ ଜଣ ଅଂଶଗ୍ରହଣକାରୀଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପାଇଁ ଅଧିକ ନମୁନା ଆସୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି |

ସେହିଭଳି ଭାବରେ ଦିଲଶାଦ ଗାର୍ଡେନରେ ରହୁଥିବା ଜଣେ ମହିଳା ସାଉଦି ଆରବରୁ ଆସିବା ପରେ କରୋନା ଦ୍ୱାରା ଆକ୍ରାନ୍ତ ହେବା ସହ ତାଙ୍କ ଝିଅ ଏବଂ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ କରୋନା ଆକ୍ରାନ୍ତ କରାଇଥିଲେ | ଏହା ପରେ ସେ ମୌଜପୁରରେ ଥିବା ମୋହଲା କ୍ଲିନିକର ଡାକ୍ତରଙ୍କୁ କରୋନା ଆକ୍ରାନ୍ତ କରାଇବା ପରେ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରନ୍ତ ହୋଇଥିଲେ | ବର୍ତମାନ ଦିଲଶାଦ ଗାର୍ଡେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଥିବା ଜଣା ପଡିଛି |

ଉତ୍ତରପ୍ରଦେଶର ନୋଏଡା ଏବଂ ମିରଟ

ଉତ୍ତରପ୍ରଦେଶର ନୋଏଡା ଏବଂ ମିରଟକୁ ହଟସ୍ପଟ୍ ଭାବେ ଧରାଯାଇଯାଇଛି | ପଶ୍ଚିମ ଉତ୍ତରପ୍ରଦେଶର ଦିଲ୍ଲୀକୁ ଲାଗିଥିବା ଗୌତମବୁଦ୍ଧ ନଗରରେ ଏ ପର୍ଯ୍ୟନ୍ତ ୩୮ଟି କୋଭିଡ -୧୯ ମାମଲା ରେକର୍ଡ କରାଯାଇଛି, ଯାହା ଦେଶର ଜନବହୁଳ ରାଜ୍ୟର ଯେ କୌଣସି ଜିଲ୍ଲା ପାଇଁ ସର୍ବାଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଆନୁମାନିକ ୬୨୬ନମୁନା ପରୀକ୍ଷା କରାଯାଇଥିବା ବେଳେ ନୋଏଡା ଏବଂ ଗ୍ରେଟର ନୋଏଡାଠାରେ ୧,୮୫୨ ଜଣଙ୍କର ତଦାରଖ ଚାଲିଛି ଏବଂ ଅନ୍ୟ ୨୯୧ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି | ମଙ୍ଗଳବାର ପର୍ଯ୍ୟନ୍ତ ୬ ଜଣ ରୋଗୀ ଗୌତମ ବୁଦ୍ଧ ନଗରରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ସୂଚନା ରହିଛି। ସେହିଭଳି ଭାବେ ପଶ୍ଚିମ ଉତ୍ତରପ୍ରଦେଶର ମିରଟ ଜିଲ୍ଲା ହେଉଛି ରାଜ୍ୟର ଦ୍ୱିତୀୟ ହଟସ୍ପଟ୍, ଯେଉଁଠାରେ ରୋଗୀଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିବା ସହ ୧୯ ଜଣ ଲୋକଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି। ସୋମବାର ପରୀକ୍ଷା ହୋଇଥିବା ୧୭ଟି ନମୁନା ମଧ୍ୟରୁ ୬ଟି ପଜିଟିଭ ଘୋଷଣା କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ

ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେକୁ ସରକାର ହଟସ୍ପଟ୍ ଭାବେ ବିବେଚନା କରିଛନ୍ତି | ସୋମବାର ଦିନ ମୁମ୍ବାଇରେ କୋଭିଡ-୧୯ ଦ୍ୱାରା ଏକାଧିକ ଲୋକ ଆକ୍ରାନ୍ତ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱର୍ଲିର କୋଲିୱାଡା ଅଞ୍ଚଳ ଏବଂ ଗୋରେଗାଓଁ ଉପକଣ୍ଠକୁ ଦୁଇଟି ହଟସ୍ପଟ୍ ବୋଲି ଘୋଷଣା କରିଛି। ମୁମ୍ବାଇରେ ନୋବେଲକରୋନାଭାଇରସ୍ ୮ ଜଣଙ୍କ ଜୀବନ ନେଇଛି ଏବଂ ସେଠାରେ ୧୬୭ଟି ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସୁଦ୍ଧା, ମହାରାଷ୍ଟ୍ରରେ ୨୩୦ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି | ଏଥିମଧ୍ୟରୁ ୧୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୯ ଜଣ ଲୋକ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି। ରାଜ୍ୟରେ କୋଭିଡ-୧୯ ର ୧୮୧ ସକ୍ରିୟ ମାମଲା ରହିଛି | ପୁଣେ ମ୍ୟୁନିସିପାଲିଟି କର୍ପୋରେସନର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ରାମଚନ୍ଦ୍ର ହଙ୍କାରେ କହିଛନ୍ତି ଯେ, ସୋମବାର ଦିନ ଏକ ଘରୋଇ ଡାକ୍ତରଖାନାରେ ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେବାରୁ ଜଣେ କୋଭିଡ-୧୯ରୋଗୀଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩,୫୦୦ଲୋକ, ଯେଉଁମାନଙ୍କର ବିଦେଶୀ ଭ୍ରମଣ ଇତିହାସ ରହିଛି ଏବଂ ସେମାନଙ୍କର ଘନିଷ୍ଠ ସମ୍ପର୍କୟମାନଙ୍କୁ ଘରେ ସଙ୍ଗରୋଧରେ ରହିବ ପାଇଁ କୁହାଯାଇଛି | ଅଧିକାରୀଙ୍କ କହିବାନୁସାରେ, ୨,୨୧୬ ଯାତ୍ରୀ ନଜରରେ ଅଛନ୍ତି। ସେଥିମଧ୍ୟରୁ ୧,୪୦୩ ସେମାନଙ୍କର ୧୪ଦିନିଆ ଇନକ୍ୟୁବେସନ ଅବଧି ସମାପ୍ତ କରିଛନ୍ତି ଏବଂ ୮୧୩ଜଣଙ୍କ ଉପରେ ଏବେ ବି କଡା ନଜର ରହିଛି |

କେରଳର କାସାରାଗୋଡ୍ ଏବଂ ପଠନମଥିଟା

କେରଳର କାସାରାଗୋଡ୍ ଏବଂ ପଠନମଥିଟାରେ ଦୁଇଟି ହଟସ୍ପଟ୍ ରହିଛି | ଦେଶର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରୁ କାସାରାଗୋଡ ହେଉଛି ଅନ୍ୟତମ | ଏଠାରେ ପ୍ରାୟ ୯୯ ଜଣ ଲୋକଙ୍କର ସ୍ୱାବ ନମୁନା ପଜିଟିଭ ଆସିଛି ଏବଂ ୭,୭୨୫ ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି। ପ୍ରାୟ ୧୬୩ଲୋକ ଏବେ ବିଛିନ୍ନ ୱାର୍ଡରେ ରହିଥିବା ଜଣାପଡିଛି | ପଠନମଥିଟାରେ କମ ସଂଖ୍ୟକ ଲୋକଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ୭,୨୫୪ ଜଣଙ୍କ ଉପରେ କଡା ନଜର ରଖାଯାଇଛି| ଏହି ଦୁଇଟି ଜିଲ୍ଲାରୁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଖବର ଆସିନାହିଁ।

ଗୁଜୁରାଟର ଅହମ୍ମଦାବାଦ 

ଗୁଜୁରାଟରେ ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ୭୩ଟି କରୋନାଭାଇରସ୍ ମାମଲା ମଧ୍ୟରୁ ଅହମ୍ମଦାବାଦ ଜିଲ୍ଲାରେ ସର୍ବାଧିକ ୨୩ଟି ମାମଲା ଚିହ୍ନଟ ହୋଇଛି | ଗୁଜୁରାଟରେ ୬ଟି ମୃତ୍ୟୁ ମଧ୍ୟରୁ ଅହମ୍ମଦାବାଦ ସହରରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଗଣନା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଚାରିଜଣ ଅହମ୍ମଦାବାଦ ସହରର। ଯାହା ପାଇଁ ଏବେ ଅହମ୍ମଦାବାଦ ସହରକୁ ହଟସ୍ପଟ୍ ଭାବରେ ଘୋଷଣା କରାଯାଇଛି |

ରାଜସ୍ଥାନର  ଭିଲୱାରା

ରାଜସ୍ଥାନରେ ଚିହ୍ନଟ ହୋଇଥିବା ମୋଟ ୮୩କରୋନାଭାଇରସ୍ ପଜିଟିଭ୍ ମାମଲା ମଧ୍ୟରୁ ୨୬ଟି ଭିଲୱାରା ଟେକ୍ସଟାଇଲ୍ ସହରରୁ ଆସିଛି। ଚିକିତ୍ସା ପରେ ଆଠ ଜଣ ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଛି | ସ୍ୱାସ୍ଥ୍ୟ ବିଭାଗ ଦଳ ଭିଲୱାରାରୁ ୧,୧୯୪ ନମୁନା ପରୀକ୍ଷା ପାଇଁ ନେଇଥିବା ଜଣାପଡିଛି | ଯାହା ପାଇଁ ଭିଲୱାରା ସହରକୁ ହଟସ୍ପଟ୍ ଭାବରେ ଘୋଷଣା କରାଯାଇଛି।