କରୋନା ନେଇ ଗୁଜବ ପ୍ରଚାର ରାଷ୍ଟ୍ରଦ୍ରୋହ ଅପରାଧ

କରୋନା ନେଇ ଗୁଜବ ପ୍ରଚାର ରାଷ୍ଟ୍ରଦ୍ରୋହ ଅପରାଧ

ଓଡିଶା ବଡ ଖବର

#କରୋନା_ନେଇ_ଗୁଜବ_ପ୍ରଚାର_ରାଷ୍ଟ୍ରଦ୍ରୋହ_ଅପରାଧ        ଭୁବନେଶ୍ୱର:     ରାଜ୍ୟରେ କରୋନା ନେଇ ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ସରକାର ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରିବା ସହ ତଦନୁସାରେ ଦଣ୍ଡିତ କରିବେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାପଦରେ ରଖିବାକୁ ଚାହୁଁଥିବା ବେଳେ ଗୁଜବ ପ୍ରଚାର ଏକ ନିନ୍ଦନୀୟ କାର୍ଯ୍ୟ। ଏପରି କାର୍ଯ୍ୟରେ ଲିପ୍ତ ଲୋକଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ ।  ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଶ୍ରୀ ବାଗଚୀ କହିଛନ୍ତି, ଦେଶ, ସମାଜ ଓ ରାଜ୍ୟ ଯେତେବେଳେ ଦୁର୍ଦ୍ଦିନରେ ଗତି କରୁଛି, ସେହିଭଳି ଏକ ସମୟରେ କିଛି ଅସମାଜିକ ବ୍ୟକ୍ତି ଗୁଜବ ସୃଷ୍ଟି କରୁଛନ୍ତି । ଆଜି ଭୁବନେଶ୍ବରର ଏକ ଶିକ୍ଷାନୁଷ୍ଠାନ ସଂପର୍କରେ ଗୁଜବ ରଟନା କରାଯାଇଛି।  ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୫ ଜଣ ବୋଲି ପ୍ରଚାର ହେଉଛି । ତେଣୁ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କରୋନା ଭାଇରସ ଆଗରେ ଧନୀ-ଗରିବ, ଉଚ୍ଚ-ନୀଚ ଓ ଜାତି-ଧର୍ମ ଭେଦଭାବ ନାହିଁ ।  ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମଣ ହୋଇପାରେ ବୋଲି ଶ୍ରୀ ବାଗଚୀ କହିଛନ୍ତି । ଉଦାହରଣ ମାଧ୍ୟମରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ପ୍ରିନ୍ସ ଚାଲ୍ସ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୁଙ୍କ ନାମ ନେଇଥିଲେ । ତେଣୁ ଆମ ପାଇଁ ଆଗାମୀ ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ସମୟ।

ରାଜ୍ୟରେ ସର୍ବମୋଟ ୬୧୦ଟି ନୋଭଲ କରୋନା ବା କୋଭିଡ୍‌-୧୯ ନମୁନାକୁ ପରୀକ୍ଷା କରା ଯାଇଥିିବା ବେଳେ ଏଥିମଧ୍ୟରୁ ୪ଟି ରିପୋର୍ଟ ପଜିଟିଭ୍‌ ଆସିଛି। ପଜିଟିଭ୍‌ ରିପୋର୍ଟ ଆସିଥିବା ୪ ଜଣ କରୋନା ରୋଗୀଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିଲେ। ତେବେ ଗତକାଲି ଚିହ୍ନଟ ହୋଇଥିବା ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଅଦ୍ୟାବଧି ଚିହ୍ନଟ କରାଯାଇ ପାରିଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

ଶ୍ରୀ ବାଗଚୀ କହିଛନ୍ତି ଯେ ଗତକାଲି ରାଜ୍ୟ ବାହାରୁ ୧୧,୫୭୫ ଜଣ ପ୍ରବାସୀ ରାଜ୍ୟ ମଧ୍ୟକୁ ଆସିବା ନେଇ ପଞ୍ଜିକରଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୪,୩୦୪ ଜଣ ଥିଲେ ବିଦେଶ ଫେରନ୍ତା। ହେଲେ, ଆଜି ଏମାନଙ୍କ ସଂଖ୍ୟା ୧୫,୦୪୫କୁ ବୃଦ୍ଧି ପାଇଛି ଆଉ ଏମାନଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତି ୪,୩୩୨ ଜଣ। ଏମାନଙ୍କ ଉପରେ ରାଜ୍ୟ ସରକାର ବିଶେଷ ଦୃଷ୍ଟି ରଖଛନ୍ତି। ଏଥିସହ, ରାଜ୍ୟବାସୀଙ୍କୁ ପରାମର୍ଶ ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ ବର୍ତ୍ତମାନର ସ୍ଥିତିରେ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କୁ ରାଜ୍ୟବାସୀ ସମବେଦନା ଦେଖାଇବା ସହ ସେମାନଙ୍କ ପ୍ରତି ଶ୍ରଦ୍ଧାଭାବ ପୋଷଣ କରିବାର ଆବଶ୍ୟତା ରହିଛି। କାରଣ, ବିଶ୍ୱର ଚିତ୍ରପଟକୁ ଦେଖିଲେ ଏକଥା ସ୍ପଷ୍ଟ ଓ ପ୍ରମାଣିତ ଯେ କରୋନା ଜାତି, ଧର୍ମ, ବର୍ଣ୍ଣ, ପଦ, ଧନୀ, ନିର୍ଧନୀ ନିର୍ବେଶେଷରେ ସମସ୍ତଙ୍କୁ ଆକ୍ରାନ୍ତ କରିପାରେ। ତେଣୁ, ଆମେ ଯଦି କରୋନା ଆକ୍ରାନ୍ତଙ୍କୁ ବାସନ୍ଦ ଦୃଷ୍ଟିରେ ଦେଖିବା ଓ କରୋନାକୁ ଏକ ସାମାଜିକ କଳଙ୍କ ରୂପେ ବିବେଚନା କରିବା ତେବେ ଏହା ଆମ ସମସ୍ତଙ୍କ ପାଇଁ କ୍ଷତିକାରକ ହେବ। କାରଣ, ଭୟରେ ସନ୍ଦିଗ୍ଧମାନେ ଆଉ କୌଣସି ପ୍ରକାରର ସୂଚନା ଦେବାକୁ ଡରିବେ ଓ ସମାଜ ଭିତରେ ଆତ୍ମଗୋପନ କରି ଏହି ସଂକ୍ରାମକ ରୋଗକୁ ଆହୁରି ବ୍ୟାପିବାକୁ ଦେବାରେ ସହାୟକ ହେବା ସହ ‘ସୁପର ସ୍ପ୍ରେଡର’ ରୂପେ କାର୍ଯ୍ୟ କରିବେ।

ଏଥିସହ ଦେଶ ଓ ବିଶ୍ୱ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ବାଗଚୀ କହିଛନ୍ତି ଯେ ଭାରତରେ ଗତକାଲି ସୁଦ୍ଧା ୧୨୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏମାନଙ୍କ ସଂଖ୍ୟା ୧୬୮୧ (ଦିନ ଟା ସୁଦ୍ଧା)କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଗତକାଲି ସୁଦ୍ଧା କରୋନାରେ ମୃତକଙ୍କ ସଂଖ୍ୟା ୩୨ ଥିବା ବେଳେ ଆଜି ଏହା ୪୫କୁ ବୃଦ୍ଧି ପାଇଛି। ସେହିପରି ଗତକାଲି ସୁଦ୍ଧା ବିଶ୍ୱର ୨୦୦ ରାଷ୍ଟ୍ର କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୦୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୮୯,୯୩୬ ରହଥିବା ବେଳେ ଆଜି ଏହା ୮,୬୨,୪୯୫କୁ ବୃଦ୍ଧି ପାଇଛି। ସମଗ୍ର ବିଶ୍ୱରେ ଗତକାଲି ସୁଦ୍ଧା ମୃତକଙ୍କ ସଂଖ୍ୟା ୩୮,୧୦୩ ଥିବା ବେଳେ ଆଜି ଏହା ୪୨.୫୧୦କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ।