ବିମାନ ଦୁର୍ଘଟଣାରେ ୧୭୬ ମୃତ

ଦେଶ -ବିଦେଶ ବଡ ଖବର

ତେହରାନ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଇରାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୧୭୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ବିମାନଟି ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେଣୁ ଏହା ତଳକୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ଏହା ପଛରେ ଏକ ସାଂଘାତିକ ଷଡ଼ଯନ୍ତ୍ର ଥିବା ମଧ୍ୟ କିଛି ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି। ଇରାନ ଭୁଲ ବଶତଃ ହିଁ ମିସାଇଲ ମାଡ଼ କରି ବିମାନଟି ଧ୍ୱଂସ କରିଦେଇଥିବା କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇରାନର ଉଦ୍ଧାରକାରୀ ଦଳ ବିମାନର ବ୍ଲାକବକ୍ସ ଠାବ କରିଥିଲେ ହେଁ ଏହାକୁ ବୋଇଂକୁ ଦେବନାହିଁ ବୋଲି କହିଛି। ବ୍ଲାକବକ୍ସରେ ହିଁ ଦୁର୍ଘଟଣାର ସମସ୍ତ ତଥ୍ୟ ରହିଥାଏ। ଇରାନ ବ୍ଲାକବକ୍ସ ଦେବାକୁ ମନା କରିବାରୁ ମିସାଇଲ ମାଡ଼ର ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ସେହିପରି ଇରାନରେ ଥିବା ୟୁକ୍ରେନ ଦୂତାବାସ ପକ୍ଷରୁ ଜାରି ବିବୃତିରେ ମଧ୍ୟ ବିମାନ ଦୁର୍ଘଟଣା ପାଇଁ ଯାନ୍ତ୍ରିକ ତ୍ରୁଟିକୁ କାରଣ ଭାବେ ଦର୍ଶାଯାଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର। ଦୁର୍ଘଟଣା ବେଳେ ବିମାନଟି ୭୯୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ତେଣୁ ଏହା ତଳକୁ ଖସି ପଡ଼ିବାରୁ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ବିମାନଟିରେ ୧୬୭ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ରହିଥିଲେ। ଏହା ୟୁକ୍ରେନର କୟାଭକୁ ଯାଉଥିଲା। କିନ୍ତୁ ତେହରାନ ନିକଟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନବନ୍ଦରରୁ ମିଳିଥିବା ବିମାନ ତଥ୍ୟ ଅନୁଯାୟୀ, ୟୁକ୍ରେନିଆନ ୭୩୭-୮୦୦ ବୋଇଂ ବୁଧବାର ସକାଳେ ହିଁ ତେହରାନରୁ ଉଡ଼ାଣ ଭରିଥିଲେ। ତେବେ ଉଡ଼ାଣ ଭରିବାର କିଛି ସମୟ ପରେ କଣ୍ଟ୍ରୋଲ ରୁମ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯାନ୍ତ୍ରିକ ତ୍ରୁଟି କାରଣରୁ ହିଁ ପାଇଲଟ ଜଣଙ୍କ ବିମାନ ଉପରରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ସ୍ଥଳ ଭାଗରେ ପିଟି ହୋଇ ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଥିଲା।

ବିମାନରେ ୮୨ ଜଣ ଇରାନ, ୟୁକ୍ରେନର ୧୧, ସ୍ୱଡେନର ୧୦, କ୍ୟାନାଡାର ୬୩, ଆଫଗାନିସ୍ତାନର ୪, ଜର୍ମାନୀର ୪ ଓ ୩ ଜଣ ବ୍ରିଟିଶ ନାଗରିକ ରହିଥିଲେ। ବିମାନଟି ସଂପୂର୍ଣ୍ଣ ନୂଆ ଥିଲା। ଦୁଇ ଦିନ ତଳେ ଏହାକୁ ଯାଞ୍ଚ କରାଯାଇଥିଲା। ତେଣୁ ଯାନ୍ତ୍ରିକ ତ୍ରୁଟି କେମିତି ଦେଖାଦେଲା ବୋଲି ୟୁକ୍ରେନ ଏୟାରଲାଇନ୍ସ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଦୁର୍ଘଟଣାର ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଜୀବିତ ଥିବା ଲୋକଙ୍କ ସନ୍ଧାନ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ଇରାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ରେଜା ଜାଫରଜାଦେ କହିଛନ୍ତି, “ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଆମେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଇଥିଲୁ। ନିଆଁ ଏତେ ଜୋରରେ ଜଳୁଥିଲା ଯେ ଆମେ ବିମାନ ନିକଟକୁ ଯିବା ପାଇଁ ବହୁତ ସଂଘର୍ଷ କରିଥିଲୁ। ଆମ ପାଖରେ ୨୨ଟି ଆମ୍ବୁଲାନ୍ସ ଓ ଗୋଟିଏ ହେଲିକପ୍ଟର ମଧ୍ୟ ରହିଥିଲା। ”

ପୂର୍ବରୁ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ରେଜା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ବିମାନରେ ମୋଟ ୧୭୬ ଜଣ ଲୋକ ଥିଲେ। ଆଜିର ଦୁର୍ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।