ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାରକୁ କେନ୍ଦ୍ର ନିଷ୍ପତ୍ତି

ଓଡିଶା ଦେଶ -ବିଦେଶ ବଡ ଖବର ରାଜ୍ୟ

ନୂଆଦିଲ୍ଲୀ : ଓଡ଼ିଶାର କଳିଙ୍ଗନଗରର ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ)ରେ ଥିବା କେନ୍ଦ୍ର ସରକାରୀ ଉଦ୍ୟୋଗମାନଙ୍କ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ଗ୍ରହଣ କରିଛି କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।

ଉଲ୍ଲେଖଯୋଗ୍ୟ, ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ। ଏଥିସହ  ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଛି ।

ଦେଶର ପ୍ରମୁଖ ପିଗ୍‌ ଆଇରନ ଉତ୍ପାଦନକାରୀ କମ୍ପାନି ନୀଳାଚଳ ଇସ୍ପାତ ବ୍ୟାପକ କ୍ଷତିରେ ଚାଲୁଛି । ଏପରିକି  ନିତିଦିନିଆ ପରିଚାଳନା ପାଇଁ କମ୍ପାନି ନିକଟରେ ଅର୍ଥ ଅଭାବ ରହୁଛି । ଅର୍ଥ ଅଭାବରୁ କମ୍ପାନିର କେତେକ ୟୁନିଟ ଗତ କିଛି ମାସ ଧରି ବନ୍ଦ ରହିଛି । ପୂର୍ବରୁ ଏହି କମ୍ପାନିକୁ କେନ୍ଦ୍ର ସରକାରୀ ଉଦ୍ୟୋଗ ଏନଏମଡିସି କିମ୍ବା ସେଲକୁ ବିକ୍ରି କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା ।

ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ ଖଣିଜ ଆଇନ( ସଂଶୋଧନ) ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି । ଏହି ଅଧ୍ୟାଦେଶ ମାଧ୍ୟମରେ ଏମଏମଡ଼ିଆର ଆଇନ ୧୯୫୭ ଓ କୋଲ ମାଇନ୍ସ ଆଇନ ୨୦୧୫ରେ ସଂଶୋଧନ କରାଯିବ । ସଂଶୋଧିତ ନିୟମରେ ଏଣ୍ଡ ୟୁଜର ସର୍ତ୍ତକୁ ଉଠାଇଦିଆଯିବ । ଏହି ସର୍ତ୍ତ ଉଠିଯିବା ପରେ କୋଇଲା ବ୍ଲକ ପାଇଥିବା କମ୍ପାନିମାନେ ଖୋଲା ବଜାରରେ କୋଇଲା ବିକ୍ରି କରିପାରିବେ । ଏହା ଫଳରେ ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣି ଖନନକୁ ପ୍ରେତ୍ସାହନ ମିଳିପାରିବ । ସେହିପରି ଦେଶର କୋଇଲା ଖଣି କ୍ଷେତ୍ରରେ ବିଦେଶୀ ପୁଞ୍ଜି ଆକୃଷ୍ଟି କରିବାକୁ ମଧ୍ୟ ସରକାର କେତେକ ନିଷ୍ପତ୍ତି ନେଇଛନ୍ତି ।

ଏହି ଅଧ୍ୟାଦେଶ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହା ଦ୍ୱାରା ଓଡ଼ିଶା ପରି ରାଜ୍ୟମାନଙ୍କ ରାଜସ୍ୱ ବୃଦ୍ଧି ପାଇବ ।