ବଢିବ ଲକ୍‌ଡାଉନ୍‌ ଅବଧି, ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ବଢିବ ଲକ୍‌ଡାଉନ୍‌ ଅବଧି, ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#ବଢିବ_ଲକ୍‌ଡାଉନ୍‌_ଅବଧି         ନୂଆଦିଲ୍ଲୀ  : କରୋନା ଭାଇରସ୍‌ ସଂକ୍ରମଣ ଧିରେ ଧିରେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାର ଅବଧି ଏପ୍ରିଲ ୧୪କୁ ଶେଷ ହେଉଛି। କିନ୍ତୁ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ଦେଖି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ମୋଦି ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଦେଶରେ ଦିନକୁ ଦିନ କରୋନା ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ତେଣୁ କରୋନା ବ୍ୟାପିବାରୁ ରୋକିବା ପାଇଁ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡିଶା ସମେତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହି ଲକ୍‌ଡାଉନ୍‌କୁ ବୃଦ୍ଧି କରିବା ପାଇଁ ମୋଦିଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ପୂର୍ବରୁ ପଞ୍ଜାବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି।

ହାତ ତିଆରି ମାସ୍କ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏଯାବତ ଏହି ଘାତକ ଭାଇରସରେ ୨୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭,୪୦୦ ସଂକ୍ରମିତ ହୋଇଛନ୍ତି। ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ମୁଁ ୨୪ ଘଣ୍ଟା ଉପଲବ୍ଧ ରହିଛି। କୋଭିଡ୍-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ୱା କିଛି କହିବାକୁ ଚାହୁଁଥିଲେ ମୋତେ କହିପାରିବେ। ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।୧୧ଟା ବେଳେ ଭିଡିଓ କନଫରେନସିଂ ଆରମ୍ଭ ହେବା ପରେ ପ୍ରଥମେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ରିପୋର୍ଟ ଦେଖାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଏବଂ ପଞ୍ଜାବ ଏପ୍ରିଲ ୩୦ଯାଏ ଲକଡାଉନ୍ ଅବଧି ବଢ଼ାଇବାକୁ ନେଇଥିବା ନିଷ୍ପତ୍ତି ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏହି ବୈଠକରେ ସାମିଲ୍ ହୋଇ ଅନେକ ରାଜ୍ୟର ଆଇନ ପରିସ୍ଥିତି, ଲୋକଙ୍କୁ ସେବା ଯୋଗାଇବା ପାଇଁ ରହିଥିବା ନିୟମ ବାବଦରେ ମଧ୍ୟ ଅବଗତ କରାଇଥିଲା।

ସୂଚନାଯୋଗ୍ୟ, କୋଭିଡ-୧୯କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଭିଡିଓ କନଫରେନସିଂ ଥିଲା। ଚଳିତ ସପ୍ତାହରେ ବିଭିନ୍ନ ଦଳର ସାଂସଦଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି। ଆସନ୍ତାକାଲି ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଲକଡାଉନ୍ ନେଇ ଘୋଷଣା କରିପାରନ୍ତି। ଏହି କନ୍‌ଫରେନ୍ସ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମାସ୍କ ପିନ୍ଧିଥିଲେ ।