ପାକିସ୍ତାନ ଆକାଶରେ ବିମାନ ଉଡ଼ାଣ ନେଇ ଆମେରିକାର ସତର୍କବାଣୀ, ଆତଙ୍କୀ ହମ୍‌ଲା ଆଶଙ୍କା

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଆତଙ୍କବାଦୀ ଓ ଆତଙ୍କବାଦର ନିପାତ ପାଇଁ ପାକିସ୍ତାନ ବିଭିନ୍ନ ପଦକ୍ଷେପ ନେଉଥିବାର ବାହାଦୁରୀ ଦେଖାଇ ଆସୁଥିଲେ ମଧ୍ୟ ଏହା ବିପଜ୍ଜନକ ସ୍ଥିତିରେ ଅଛି ବୋଲି ବାରମ୍ବାର ପ୍ରମାଣିତ ହୋଇ ଆସୁଛି। ଏବେ ଆମେରିକା ନିଜ ଦେଶର ବିମାନ ସେବା ଯୋଗାଣକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ସେମାନେ ପାକିସ୍ତାନ ଆକାଶ ଦେଇ ଉଡ଼ିବାବେଳେ ସତର୍କତା ଅବଲମ୍ବନ କରିବେ। ଆମେରିକାର ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌ (ଏଫ୍‌ଏଏ) କହିଛି ଏହି ବିମାନ ପାକିସ୍ତାନ ଚରମପନ୍ଥୀ ଏବଂ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣର ଶିକାର ହେବା ଆଶଙ୍କା ରହିଛି।

ଉଭୟ ବ୍ୟବସାୟିକ ଏବଂ ରାଷ୍ଟ୍ରୀୟ ବିମାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି, “ପାକିସ୍ତାନକୁ, ପାକସ୍ତାନ ବାହାରେ, ପାକିସ୍ତାନ ଭିତରେ ଏବଂ ଏହାର ଆକାଶ ମାର୍ଗରେ ବିମାନ ଉଡ଼ିବା ସମୟରେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରିବେ। ଉଗ୍ରବାଦୀ ବା ଆତଙ୍କବାଦୀଙ୍କ ଆକ୍ରମଣର ଆଶଙ୍କା ରହିଥିବାରୁ ଏପରି କରିବାକୁ ହେବ।”

ଇରାନ୍‌ରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ପରେ ବାଗଦାଦ୍‌ଠାରେ ଆମେରିକାର ଦୂତାବାସ ଉପରେ ହଜାର ହଜାର ବିକ୍ଷୋଭକାରୀଙ୍କ ଆକ୍ରମଣର ୨ ଦିନ ପରେ ଆମେରିକା ଏଭଳି ନିର୍ଦ୍ଦେଶ ଦେଇଛି। ଏହି ଏୟାରଷ୍ଟ୍ରାଇକ୍‌ରେ ଦୁଇ ଡଜନ୍‌ରୁ ଅଧିକ ଲୋକ ମରିଥିଲେ।