#ଆଉ_କିଛି_ମାସ_କରୋନା_ଭୂତାଣୁର_ପ୍ରଭାବ_ରହିବ 

ଆଉ କିଛି ମାସ କରୋନା ଭୂତାଣୁର ପ୍ରଭାବ ରହିବ,ମାସ୍କ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହେବ

ଦେଶ -ବିଦେଶ ବଡ ଖବର

#ଆଉ_କିଛି_ମାସ_କରୋନା_ଭୂତାଣୁର_ପ୍ରଭାବ_ରହିବ         ନୂଆଦିଲ୍ଲୀ  :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ-୧୯ ମହାମାରୀର ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରିଛନ୍ତି । ଏହା ହେଉଛି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ମତବିନିମୟ । ପୂର୍ବରୁ ମାର୍ଚ୍ଚ ୨୦, ଏପ୍ରିଲ ୨ ଓ ଏପ୍ରିଲ ୧୧ ତାରିଖ ଦିନ ସେ ଏହିପରି ମତବିନିମୟ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲକଡାଉନର ସୁଫଳ ଆମକୁ ମିଳିଛି ଓ ଏଥିଯୋଗୁ ଗତ ଦେଢ ମାସ ମଧ୍ୟରେ ଆମେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇପାରିଛେ । ସେ କହିଛନ୍ତି ଯେ, ଭାରତର ଜନସଂଖ୍ୟା ଅନ୍ୟ କେତେକ ଦେଶର ମିଳିତ ଜନସଂଖ୍ୟା ସହ ସମାନ । ମାର୍ଚ୍ଚ ମାସ ଆରମ୍ଭରେ ଭାରତ ଅବସ୍ଥା ଅନ୍ୟାନ୍ୟ ଦେଶଗୁଡିକର ପରିସ୍ଥିତି ସହ ସମାନ ଥିଲା । ମାତ୍ର ସମୟୋଚିତ ପଦକ୍ଷେପ ଯୋଗୁ ଆମେ ଅନେକ ଲୋକଙ୍କୁ ନିରାପଦରେ ରଖି ପାରିଲୁ । ସେ ଆହୁରି କହିଛନ୍ତି ଯେ, ମହାମାରୀର ବିପଦ ଏବେ ବି ଟଳିନାହିଁ ଓ ନିରବଚ୍ଛିନ୍ନ ସତର୍କତା ରକ୍ଷା କରିବା ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ମଧ୍ୟରେ ଦୁଇଟି ଲକଡାଉନ ଦେଖି ସାରିଛି ଦେଶ ଓ ବିଭିନ୍ନ ଦୃଷ୍ଟିରୁ ଉଭୟ ଭିନ୍ନ ଧରଣର । ସେ କହିଛନ୍ତି ଯେ, ବିଶେଷଜ୍ଞମାନଙ୍କ ମତରେ କରୋନା ଭୂତାଣୁ ଆହୁରି କିଛି ମାସ ପର୍ଯ୍ୟନ୍ତ ରହିବ, ସେ ଦୃଷ୍ଟିରୁ ଦୁଇ ଗଜ ଦୂରତା ମନ୍ତ୍ର ସହ ମାସ୍କର ବ୍ୟବହାର ଆଗକୁ ଆମ ଜୀବନର ଏକ ଅଙ୍ଗ ଭାବେ ପରିଗଣିତ ହେବ । ସେ ଦୃଷ୍ଟିରୁ ସମସ୍ତଙ୍କ ଲକ୍ଷ୍ୟ ହେଉଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ । ଅନେକ ଲୋକ କଫ ବା ଥଣ୍ଡା ଲକ୍ଷଣ ଥିଲେ ନିଜ ଆଡୁ ସେ ବିଷୟରେ ଜଣାଉଛନ୍ତି ତାହା ସ୍ୱାଗତଯୋଗ୍ୟ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମକୁ କୋଭିଡ-୧୯ର ମୁକାବିଲା କରିବା ସହ ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିବାକୁ ପଡିବ । ସେ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେବା ସହ ସଂସ୍କାରଧର୍ମୀ ପଦକ୍ଷେପ ଉପରେ ମଧ୍ୟ ଜୋର ଦେଇଛନ୍ତି । କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଅଧିକରୁ ଅଧିକ ଲୋକ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବାକୁ ପରାମର୍ଶ ଦେଇଛନ୍ତି । ଆମକୁ ସାହସୀ ହେବା ସହ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତନ ପାଇଁ ସଂସ୍କାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି । ବିଶ୍ୱବିଦ୍ୟାଳୟ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନେ ସେମାନଙ୍କର ଗବେଷଣା ଓ ଉଦ୍ଭାବନ କାର୍ଯ୍ୟକୁ ଅଧିକ ମଜବୁତ କରି ଏହି ମହାମାରୀର ମୁକାବିଲା ପାଇଁ ଉପାୟ ବାହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ରାଜ୍ୟଗୁଡିକରେ ଥିବା ହଟସ୍ପଟ ବା ରେଡ ଜୋନ ଅଂଚଳଗୁଡିକୁ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ରେଡ ଜୋନକୁ ଅରେଞ୍ଜ ଜୋନ ଓ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ପରିଣତ କରିବା ଉପରେ ରାଜ୍ୟମାନେ ଅଧିକ ଧ୍ୟାନକେନ୍ଦ୍ରୀତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ବିଦେଶରେ ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପ୍ରସଂଗରେ ସେ କହିଛନ୍ତି ଯେ, ସେମାନେ ଓ ସେମାନଙ୍କ ପରିବାରର ଭଲମନ୍ଦ ବି·ରକୁ ନିଆଯାଇ ଏହି ପଦକ୍ଷେପ ନିଆଯିବ । ନିକଟରେ ମୌସୁମୀ ବର୍ଷାର ଆଗମନକୁ ଦୃଷ୍ଟିରେ ରଖି ଯେପରି ଲୋକମାନେ ଅନ୍ୟାନ୍ୟ ରୋଗରେ ସଂକ୍ରମିତ ନ ହୁଅନ୍ତି ତାହା ଉପରେ ନଜର ରଖିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ।

ଏଭଳି ଜଟିଳ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ସେମାନେ ଆନ୍ତର୍ଜାତିକ ସୀମା ଉପରେ କଡା ନଜର ରଖିବା ସହ ଆର୍ଥିକ ଆହ୍ୱାନର ମୁକାବିଲା ଓ ସ୍ୱାସ୍ଥ୍ୟ ଭିତିଭୂମିକୁ ଆହୁରି ମଜବୁତ କରିବା ଉପରେ ମତବ୍ୟକ୍ତ କରିଥିଲେ। କୋଭିଡ-୧୯ର ମୁକାବିଲା ଦିଗରେ ପୁଲିସ ଓ ସ୍ୱାସ୍ଥ୍ୟ କର୍ମ·ରୀମାନଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପ୍ରତି ସେମାନେ କୃତଜ୍ଞତା ଜ୍ଞାପନ କରିଥିଲେ ।