ନେପାଳ ସୁପ୍ରିମକୋର୍ଟ ମାଗିଲେ କଳାପାଣିର ଅସଲ ନକ୍ସା

ଦେଶ -ବିଦେଶ ବଡ ଖବର ବିଶେଷ

ନୂଆଦିଲ୍ଲୀ: ବଢିଲା ବିବାଦୀୟ କଳାପାଣି ସୀମା ବିବାଦ । ନେପାଳ ସୁପ୍ରିମକୋର୍ଟ ମାଗିଲେ କଳାପାଣିର ଅସଲ ନକ୍ସା । ସେପଟେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାମ୍ମୁକାଶ୍ମୀରର ପୁର୍ନଗଠନ ପରେ ଭାରତ ପକ୍ଷରୁ ଜାରି କରାଯାଇଥିବା ମାନଚିତ୍ରରେ ସୀମା ଗୁଡିକର ସଠିକ ଚିତ୍ରଣ କରାଯାଇଛି । ଏହାସହ ନୂଆ ମାନଚିତ୍ରରେ ନେପାଳ ସୀମାକୁ ନେଇ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନେପାଳ ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବିବାଦୀୟ କଳାପାଣି ପ୍ରସଙ୍ଗରେ ଜାନୁୟାରୀ ୧୫ ତାରିଖରେ ଉଭୟ ରାଷ୍ଟ୍ରର ବିଦେଶ ସଚିବଙ୍କ ମଧ୍ୟରେ ଆଲୋଚନା ହେବ ।

ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ପାଇଁ ଏହି ବିବାଦୀୟ ପ୍ରସଙ୍ଗର ସମାଧାନ ଜରୁରୀ ବୋଲି ଚଳିତ ସପ୍ତାହରେ କହିଥିଲେ ନେପାଳ ରାଷ୍ଟ୍ରଦୂତ ନିଳାମ୍ବର ଆଚାର୍ଯ୍ୟ । ଅପରପକ୍ଷରେ ନେପାଳ ସୁପ୍ରିମକୋର୍ଟ ୧୫ଦିନ ମଧ୍ୟରେ ନେପାଳର ଦୁଇଟି ମାନଚିତ୍ର ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ନକ୍ସା ୧୮୧୬ରେ ସୁଗୋଲୀ ଚୁକ୍ତି ସମୟର ଓ ଅନ୍ୟ ଏକ ୧୯୬୦ରେ ଭାରତ ସହ ଆଦାନପ୍ରଦାନ ହୋଇଥିବା ସୀମା ଚୁକ୍ତି ସମୟର । ନେପାଳର ଭୂଭାଗର ସୁରକ୍ଷା ପାଇଁ ରାଜନୈତିକ ସ୍ତରରେ ପଦକ୍ଷେପ ନେବାର ଆବଶ୍ୟକତା ଦର୍ଶାଇ ଦାୟର ହୋଇଥିବା ମାମଲାର ଶୁଣାଣୀରେ କୋର୍ଟ ଏହା କହିଛନ୍ତି ।

ନେପାଳ ଓ ଭାରତ ମଧ୍ୟରେ ହୋଇଥିବା ସୁଗୋଲୀ ଚୁକ୍ତି ଅନୁଯାୟୀ ମହାକାଳୀ ନଦୀକୁ ଭାରତ – ନେପାଳର ସୀମା ଭାବେ ଚିହ୍ନଟ କରାଯାଇଛି । ବିବାଦୀୟ କ୍ଷେତ୍ରର ପଶ୍ଚିମରେ ବହୁଥିବା ନଦୀ ମହାକାଳୀ ନଦୀ ବୋଲି ଦାବି କରୁଛି ପାକିସ୍ତାନ । ଅପରପକ୍ଷରେ ଅନ୍ୟ ସ୍ଥାନକୁ ନଦୀର ଉତ୍ପତି ସ୍ଥଳକୁ ବୋଲି କହିବା ସହ ବିବାଦୀୟ କ୍ଷେତ୍ରକୁ ନିଜର ବୋଲି ଭାରତ କହୁଛି ।