ଦେଶ ଏବେ କଷ୍ଟକର ସମୟ ଦେଇ ଗତି କରୁଛି : ପ୍ରଧାନ ବିଚାରପତି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ: ଦେଶ ଏବେ କଷ୍ଟକର ସମୟ ଦେଇ ଗତି କରୁଛି। ଦେଶରେ ସିଏଏକୁ ନେଇ ଚାଲିଥିବା ହିଂସାକାଣ୍ଡ ବନ୍ଦ ହେବା ପରେ ଯାଇଁ କୋର୍ଟ ଏ ସଂପର୍କୀତ ମାମଲାର ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ କହିଛନ୍ତି । ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ସଂପର୍କରେ  ପ୍ରଧାନ ବିଚାରପତି ଶ୍ରୀ ବୋବଡେ ଏହା କହିଛନ୍ତି ।

ସେ କହିଛନ୍ତି ଏହି ସମୟରେ ଏଭଳି ଆବେଦନ ଦାଖଲ କଲେ କୌଣସି ଲାଭ ମିଳିବ ନାହିଁ। ଏହା ସ୍ଥିତିକୁ କେବେ ହେଲେ ଶାନ୍ତ କରିବାରେ ସହଯୋଗ କରିବ ନାହିଁ। ତେଣୁ ଆବେଦନ କଥା ଭୁଲି ଶାନ୍ତି କେମିତି ସ୍ଥାପନ ହେବ, ତା’ ଉପରେ ଧ୍ୟାନ ଦିଆଯିବା ଦରକାର ବୋଲି ସେ କହିଛନ୍ତି।

ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା ସିଏଏକୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏଥିସହ ଏହାକୁ ବିରୋଧ କରୁଥିବା ସ୍ୱେଚ୍ଛାସେବୀ, ସଂଗଠନ ଓ ରାଜ୍ୟ ସମେତ ସିଏଏକୁ ନେଇ ଭୁଲ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଏ ସଂପର୍କରେ ଜଷ୍ଟିସ୍‌ ବୋବଡେ କହିଛନ୍ତି ଯେ “ଦେଶ ଏବେ ଏକ କଠିନ ସମୟ ଦେଇ ଗତି କରୁଛି। ଏହି ସମୟରେ ସମସ୍ତଙ୍କ ଲକ୍ଷ୍ୟ କେମିତି ଶାନ୍ତି ସ୍ଥାପନ ହୋଇପାରିବ, ସେ ଉପରେ ରହିବା ଦରକାର। କେବଳ ଆବେଦନ ଦାଖଲ କଲେ କିଛି ବି ଫରକ ପଡ଼ିବ ନାହିଁ।” ସେହିପରି ଏହି ଆଇନକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ହୋଇଥିବା ଦାବି ସଂପର୍କରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସଂସଦରେ ପାସ୍‌ ହୋଇଥିବା ଆଇନ ସର୍ବଦା ସାମ୍ବିଧାନକ ବୋଲି ଅନୁମାନ କରାଯାଏ।”

ଗୁରୁବାର ସିଏଏ ବିରୋଧୀ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି, “ସିଏଏ ବିରୋଧରେ ଆଗତ ସମସ୍ତ ମାମଲାର ଶୁଣାଣି କରିବୁ। ହେଲେ ପ୍ରଥମେ ଏହାକୁ ନେଇ ଚାଲିଥିବା ହିଂସାକାଣ୍ଡ ଓ ବିକ୍ଷୋଭ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ଦରକାର। ହିଂସା ବନ୍ଦ ହେଲେ ଶୁଣାଣି ଆରମ୍ଭ ହେବ।”ଆଜିର ଶୁଣାଣି ବେଳେ ଜଷ୍ଟିସ ବୋବଡେଙ୍କ ସମେତ ଖଣ୍ଡପୀଠରେ ଜଷ୍ଟିସ୍‌ ବିଆର ଗାଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଥିଲେ।