ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ କରୋନାକୁ ରୋକିବାକୁ ଆଉ କୌଣସି ବାଟ ନ ଥିଲା

ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ କରୋନାକୁ ରୋକିବାକୁ ଆଉ କୌଣସି ବାଟ ନ ଥିଲା

ଦେଶ -ବିଦେଶ ବଡ ଖବର

#ଦେଶବାସୀଙ୍କୁ_କ୍ଷମା_ମାଗିଲେ_ପ୍ରଧାନମନ୍ତ୍ରୀ      ନୂଆଦିଲ୍ଲୀ   :   କରୋନା ସଂକ୍ରମଣକୁ ରୋକିବାକୁ ନେଇ ଲକ ଡାଉନ କରା ଯାଇଥିବାରୁ ଏହାକୁ ନେଇ ହୋଇଥିବା ଅସୁବିଧା ପାଇଁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ସେ ଏ ନେଇ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି ।

ଲକ ଡାଉନ ସେ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷକରି ମୋର ଗରିବ ଭାଇ-ଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି! ମୁଁ ସମସ୍ତଙ୍କୁ ଗୃହବନ୍ଦୀ କରିଦେଇଥିବାରୁ ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ । ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ କଷ୍ଟକୁ ବୁଝିପାରୁଛି, କିନ୍ତୁ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା । କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ । ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ । କିନ୍ତୁ, ବିଶ୍ୱର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା । ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଲକ ଡାଉନ ଲକ୍ଷ୍ମଣରେଖାକୁ ମାନିଲେ ହିଁ ଆମେ ଏହି ମହାମାରୀରୁ ରକ୍ଷା ପାଇ ପାରିବା  । ଆମ ଶାସ୍ତ୍ରରେ କୁହାଯାଇଛି – “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”- ଅର୍ଥାତ୍, ରୋଗ ଏବଂ ଏହାର ପ୍ରକୋପରପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି । ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଂଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।

ଲହି ଅବସରରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ  । ଜଣେ କରୋନା ପୀଡିତ ଭାବେ ଚିକିତ୍ସା ଲାଭ କରି ସୁସ୍ଥ ହୋଇଥିବା ଆଇଟି କର୍ମଚାରୀ ୀ ରାମଗମ୍ପା ତେଜା ଓ ଆଗ୍ରାର ଅଶୋକ କପୁରଙ୍କ ସହ ସେ କଥା ହୋଇଥିଲେ ଓ ତାଙ୍କର ଅନୁଭୁତି ଜାଣିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ପରେ ସେ ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ, ଯାହାଫଳରେ ଆଜି ସେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଛନ୍ତି । ତେଣୁ ସମସ୍ତେ ଏପରି କରିବାକୁ ପଡିବ ବୋଲି ସେ କହିଥିଲେ ।

କରୋନାର ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ସହ କରିଥିବା କଥାବାର୍ତାକୁ ପ୍ରଧାନମନ୍ତ୍ରୀ ଶେୟାର କରିଥିଲେ । ସେ କହିଥିଲେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଏ ଯୁଦ୍ଧରେ ଅଗ୍ରଣୀ ଯୋଦ୍ଧା । ସେ ଡା. ନୀତେଶ ଗୁପ୍ତା ଓ ଡାକ୍ତର ୱର୍ସେଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କର ଅନୁଭୁତି ଶୁଣିଥିଲେ ।ସେ କହିଥିଲେ ଯେ ଆମର ଏ ସମସ୍ତ ସାଥୀ ପୂରା ଦେଶକୁ ଏଇ ବିପଦରୁ ମୁକୁଳାଇବାକୁ ଲାଗିପଡ଼ିଛନ୍ତି । ଏମାନେ ଯୋଉ କଥା ଆମକୁ କହୁଛନ୍ତି ଏହା କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ପ୍ରୟୋଗ କରିବା କଥା । ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ଦେଖୁଛି ସେତେବେଳେ ମୋତେ ଆଚାର୍ଯ୍ୟ ଚରକ କହିଥିବା କଥା ମନେପଡ଼ୁଛି । ଆଚାର୍ଯ୍ୟ ଚରକ ଡାକ୍ତରଙ୍କ ପାଇଁ ଉପଯୁକ୍ତ କଥା କହିଛନ୍ତି ଏବଂ ଆଜିବି ଆମେ ଡାକ୍ତରମାନଙ୍କ ଜୀବନରେ ତାହା ଦେଖୁଛେ – ଆଚାର୍ଯ୍ୟ ଚରକ କହିଥିଲେ – ନ ଆତ୍ମାର୍ଥମ୍ ନ ଅପି କାମାର୍ଥମ୍ ଅଦଭୁତ ଦୟାଂ ପ୍ରତି ବର୍ତତେ ୟତ୍ ଚିକିତ୍ସାୟାଂ ସ ସ୍ୱୟମ୍ ଇତି ବର୍ତତେ ….. ମାନେ ଧନ ବା କୌଣସି ବିଶେଷ କାମନାକୁ ନେଇ ନୁହେଁ ବରଂ ରୋଗୀର ସେବା କରି ଦୟାଭାବ ରଖି କାମ କରିବା ହିଁ ଶ୍ରେଷ୍ଠ ଚିକିତ୍ସକ ହୋଇଥାଏ ବୋଲି ସେ କହିଥିଲେ । ନର୍ସ ମାନଙ୍କର କାମକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।