କିଟ୍‍ ଓ କିସ୍‍ ପକ୍ଷରୁ ପୋଲିସ୍‍ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ

କିଟ୍‍ ଓ କିସ୍‍ ପକ୍ଷରୁ ପୋଲିସ୍‍ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ

ଓଡିଶା ବଡ ଖବର ମହାନଗର

#କିଟ୍‍_ଓ_କିସ୍‍_ପକ୍ଷରୁ_ପୋଲିସ୍‍_କର୍ମଚାରୀଙ୍କୁ_ଖାଦ୍ୟ_ବଣ୍ଟନ      ଭୁବନେଶ୍ବର  : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ କରୋନା ପାଇଁ ଲଗ୍‍ଡାଉନ୍‍ ସମୟରେ ରାସ୍ତାରେ କାର୍ଯ୍ୟରତ ପୋଲିସ୍‍ କର୍ମଚାରୀଙ୍କୁ ରବିବାର କିଟ୍‍ ଓ କିସ୍‍ ପକ୍ଷରୁ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଛି । ଆଜି ମଧ୍ୟାହ୍ନରେ  ଶ୍ରୀ ସାମନ୍ତ ସ୍ଥାନୀୟ କିଟ୍‍ ଛକରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ସହିତ କିଟ୍‍ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟକୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲଗ୍‍ଡାଉନ୍‍ ସମୟରେ ରାସ୍ତାରେ କାର୍ଯ୍ୟରତ ୧୨ଶହ ପୋଲିସ୍‍ କର୍ମଚାରୀଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ପ୍ରେରଣ କରାଯାଇଥିଲା । କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ୍‍ ମଧ୍ୟ କରୋନା ଯୁଦ୍ଧରେ ସାମିଲ୍‍ ହୋଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ୍‍ କର୍ମଚାରୀମାନେ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଉଭୟ ପୋଲିସ୍‍ ଓ ଗଣମାଧ୍ୟମ ଡାକ୍ତରମାନଙ୍କ ଅଧିକାଂଶ ସମସ୍ୟା ଦୂର କରିବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ସାମନ୍ତ କହିବା ସହ ସମସ୍ତ ଡାକ୍ତର, ପୋଲିସ କର୍ମଚାରୀ ଓ ଗଣମାଧ୍ୟମକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ କିଟ୍‍ ଓ କିସ୍‍ ପକ୍ଷରୁ ବୁଲା ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଆଜି ତୃତୀୟ ଦିନରେ ବିଭିନ୍ନ ସ୍ଥାନରେ ବୁଲା କୁକୁର, ଗୋରୁ ଓ ମାଙ୍କଡ଼ମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା ।