କରୋନା ବ୍ୟାପିବା ପଛରେ ବଜ୍ରକାପ୍ତା!

ଦେଶ -ବିଦେଶ ବଡ ଖବର

ବେଜିଂ: ଶୁକ୍ରବାର କିଛି ବୈଜ୍ଞାନିକ ସୂଚନା ଦେଇଛନ୍ତି, ମରଣାନ୍ତକ ଭାଇରସ୍‌ କରୋନା ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ଆଶଙ୍କା କରାଯାଉଛି। କୁହାଯାଉଛି ଏମାନଙ୍କୁ ହିଁ ଏହି ଭୟଙ୍କର ଭୂତାଣୁ ବାହକ ଭାବେ ବାଛିଛି।ଏହାର ଅନ୍ୟତମ କାରଣ ସ୍ୱରୂପ କୁହାଯାଉଛି ବିଶ୍ୱରେ ଚାଲାଣ କରାଯାଉଥିବା ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରୁ ବଜ୍ରକାପ୍ତା ଅନ୍ୟତମ। ପ୍ରତିବର୍ଷ ହଜାର ହଜାର ବଜ୍ରକାପ୍ତାଙ୍କୁ ସେମାନଙ୍କ ଔଷଧୀୟ ଗୁଣ ପାଇଁ ମରାଯାଏ। ଏପରିକି ଚାଇନା ଏବଂ ଭିଏତନାମରେ ଖାଦ୍ୟ ଆକାରରେ ଗ୍ରହଣ କରାଯାଏ।

ତେବେ ଦକ୍ଷିଣ ଚାଇନା କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ କିଛି ବୈଜ୍ଞାନିକଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଅନେକ ସାଂଘାତିକ ତଥ୍ୟ ମିଳିଛି। ସେମାନଙ୍କ ଗବେଷଣା କହୁଛି ମଣିଷଙ୍କଠାରେ ଦେଖାଯାଉଥିବା କରୋନାର ୯୯% ଲକ୍ଷଣ ଏହି ବଜ୍ରକାପ୍ତାଙ୍କଠାରେ ମଧ୍ୟ ଦେଖାଯାଇଛି।ଉକ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଲିଉ ୟେହୋଙ୍ଗ କହିବା ଅନୁଯାୟୀ, ୧୦୦୦ଟି ବିଭିନ୍ନ ବନ୍ୟଜନ୍ତୁଙ୍କଠାରୁ ନମୁନା ସଂଗ୍ରହ କରାଯିବା ପରେ ଜଣାପଡ଼ିଛି ବଜ୍ରକାପ୍ତା ଏହି ଭୂତାଣୁର ବାହକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସିନ୍‌ହୁଆ ନ୍ୟୁଜ୍‌ ଏଜେନ୍ସି କହିବା ଅନୁଯାୟୀ, ଗୁରୁବାର ୭୩ ଜଣ ଏହି ଭୂତାଣୁ କାରଣରୁ ମୃତ୍ୟୁବରଣ କରିଛନ୍ତି।

ଏଭଳି ବନ୍ୟଜନ୍ତୁଙ୍କ କାରବାରରେ ଚାଇନା କଟକଣା ଲଗାଇସାରିଛି। ତେବେ ପ୍ରଥମେ ସାପଙ୍କୁ ଏଥିପାଇଁ ଦାୟୀ କରାଯାଉଥିଲା। ପରେ ଏହା ମୂଳତଃ ବାଦୁଡ଼ିଙ୍କଠାରୁ ଆରମ୍ଭ ହୋଇଥିବା ପରେ କୁହାଗଲା। ତେଣୁ ବାଦୁଡ଼ି ଏବଂ ମଣିଷଙ୍କ ମଧ୍ୟରେ ଭୂତାଣୁ ବାହକ ପ୍ରକୃତରେ ବଜ୍ରକାପ୍ତା କି ନା ତାହା ଜାଣିବାକୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି।