ଅନୁପ ସାଏଙ୍କ ମାମଲାର ତଦନ୍ତ କରି ଗିରଫ କରିଥିବା ସମସ୍ତ ପୁଲିସଙ୍କୁ ମିଳିବ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର

ଓଡିଶା ବଡ ଖବର

#ସମସ୍ତ_ପୁଲିସଙ୍କୁ_ମିଳିବ_୨୦_ହଜାର_ଟଙ୍କା_ଲେଖାଁଏ_ପୁରସ୍କାର   ବିଳାସପୁର : ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କୁ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା ଛତିଶଗଡର ରାୟଗଡ଼ ପୁଲିସ। ଅନୁପ ସାଏଙ୍କୁ ଗିରଫ କରିବା ପୂର୍ବରୁ ପ୍ରମାଣପତ୍ର ହାସଲ କରିବା ପାଇଁ ପୁଲିସ ଟିମ୍‌ ଦିନରାତି ଯୋଜନା କରିବାକୁ ପଡିଥିଲା। ଆଉ ଗିରଫ ପରେ ଏବେ ପୁଲିସ ଟିମ୍‌କୁ ଏହାର ଫଳ ମିଳିବ। ଏହି ମାମଲାରେ ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର ପାଇବେ। ଏହି ଘୋଷଣା କରିଛନ୍ତି ବିଲାସପୁର ଆଇ.ଜି ଦିପାଂଶୁ କବିଡ଼ିଆ।

ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କ ହତ୍ୟାକାଣ୍ଡର ତଦନ୍ତ କରିଥିବା ଛତିଶଗଡର ରାୟଗଡ଼ ପୁଲିସକୁ ବହୁ ଉଦ୍ୟମ କରିବାକୁ ପଡିଛି। ତଦନ୍ତ କରିବା ସମୟରେ ପୁଲିସକୁ ୬ଟି ରାଜ୍ୟରେ ୭ ଶହ ଲୋକଙ୍କୁ ପଚରାଉଚରା କରିବାକୁ ପଡିଥିଲା। ଶେଷରେ ଛତିଶଗଡର ରାୟଗଡ଼ ପୁଲିସ ଉପଯୁକ୍ତ ପ୍ରମାଣ ପତ୍ର ଆଧାରରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ପୁଲିସ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମ୍‌ଏଫ୍‌ସି ଦିଗବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା। କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଅନୁପଙ୍କୁ ଜେଲ୍ ଯିବାକୁ ପଡିଛି।