ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜାତିଭିତ୍ତିକ ଗଣନା ପାଇଁ ପ୍ରସ୍ତାବ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର:  ରାଜ୍ୟରେ ଜନଗଣନା ସହ ସାମାଜିକ,ଆର୍ଥିକ ଓ ଜାତିଗତ ଜନଗଣନା ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ମାନବ ବିକାଶ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ ସାମଗ୍ରିକ ଅଭିବୃଦ୍ଧି ଓ ପରିବର୍ତ୍ତନ ନିମନ୍ତେ ଏହି ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ, ଓଡ଼ିଶାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜାତି ଓ ଆର୍ଥିକ ଜନଗଣନାର ଆବଶ୍ୟକତା ଥିବା ନେଇ ସହମତି ହୋଇଥିଲା। ତେବେ ୨୦୨୧ ଜନଗଣନା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜାତିଗତ ଓ ଆର୍ଥିକ ପଛୁଆ ବର୍ଗ ଏବଂ ଓବିସି,ଅନ୍ୟ ଜାତିଙ୍କ ଗଣନା ଓ ଚିହ୍ନଟକୁ ନେଇ ପ୍ରସ୍ତାବିତ ଜନଗଣନା ଫର୍ମାଟରେ କିଛି ଉଲ୍ଲେଖ ନାହିଁ। ସେହିପରି ୨୦୧୧ ଜନଗଣନା ସମୟରେ ସାମାଜିକ,ଆର୍ଥିକ ଓ ଜାତିଗତ ଜନଗଣନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶିତ ହୋଇନାହିଁ।

ତେଣୁ ସାମାଜିକ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ସମ୍ପର୍କରେ ତଥ୍ୟ, ସେମାନଙ୍କର ଅବସ୍ଥିତି ଆଦି ସମ୍ପର୍କରେ ସଠିକ୍ ତଥ୍ୟ ନଥିବାରୁ ସେମାନଙ୍କର ବିକାଶ ପାଇଁ ନିର୍ଦ୍ଧିଷ୍ଟ ଯୋଜନା ସମ୍ଭବପର ହୋଇପାରୁନି। ୨୦୧୧ ସାମାଜିକ-ଆର୍ଥିକ ଜାତିଗତ ଜନଗଣନା ରିପୋର୍ଟରୁ ମିଳିଥିବା ତଥ୍ୟର ଆବଶ୍ୟକତା ରହିଥିଲା ଓ ଏହା ଭାରତ ସରକାରଙ୍କ ଦ୍ୱାରା ମଧ୍ୟ ଗ୍ରହଣୀୟ ହୋଇଥିଲା। କିନ୍ତୁ ୨୦୧୧ ସମସ୍ତ ତଥ୍ୟ ପ୍ରକାଶିତ ହୋଇନଥିବାରୁ ଓ ୨୦୨୧ ଜନଗଣନାରେ ଏସବୁ ତଥ୍ୟ ସଂଗ୍ରହ ଫର୍ମାଟ୍ ନଥିବାରୁ ରାଜ୍ୟ କ୍ୟାବିନେଟ୍ ଆଜି ସର୍ବସମ୍ମତିରେ ରାଜ୍ୟରେ ସାମାଜିକ-ଆର୍ଥିକ ଜାତିଗତ ଜନଗଣନା ନିମନ୍ତେ ଏକ ସଂକଳ୍ପ ଗୃହୀତ କରି ଭାରତ ସରକାରଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଯାହାକି ଜନଗଣନା ସହ ଏକକାଳୀନ ହେବ। ଭାରତ ସରକାର ଏହି ସାମାଜିକ-ଆର୍ଥିକ ଓ ଜାତିଗତ ଜନଗଣନାକୁ ମଧ୍ୟ ଯେଭଳି ଶୀଘ୍ର ପ୍ରକାଶ କରିବେ ସେ ନେଇ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ରଖାଯାଇଛି।

ଏହି ଗଣନା ହେବାଦ୍ୱାରା ରାଜ୍ୟରେ ବିକାଶକୁ ଗତିଶୀଳ କରାଯିବା ଗରିବ ଓ ଆର୍ଥିକ ଦୁର୍ବଳ ବର୍ଗର ବିକାଶ ମଧ୍ୟ ହୋଇପାରିବ। ଯାହାକି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି କ୍ୟାବିନେଟ୍ ସଂକଳ୍ପ ପ୍ରସ୍ତାବରେ କୁହାଯାଇଛି।