ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ !

ପୁଲିସ ପାଉନି ଠୋସ୍ ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ !

ଓଡିଶା ଅପରାଧ ଜିଲ୍ଲା ଝାରସୁଗୁଡ଼ା ରାଜ୍ୟ

#ପୁଲିସ_ପାଉନି_ଠୋସ୍_ପ୍ରମାଣ   ଝାରସୁଗୁଡ଼ା:  ଖସିଯିବେ କି ପ୍ରଭାବଶାଳୀ ଅଭିଯୁକ୍ତ ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ରାଜଧାନୀ ରାୟପୁରରୁ ପ୍ରକାଶିତ  ‘ନବଭାରତ’ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ରାୟଗଡ଼ ପୁଲିସ ପାଇଁ ଏତେଟା ସହଜ ହେଉନାହିଁ । ତେଣୁ ପୁଲିସ  ଅଧିକ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି । ଚଢାଯାଇଥିବା ଗାଡି ଏଯାଏଁ  ମିଳିନାହିଁ ଓ ଯେଉଁ ଲୁହାଛଡରେ ମା-ଝିଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ତାହା ମଧ୍ୟ ପୁଲିସ ହାତରେ ଲାଗିନାହିଁ ।

ଅନ୍ୟପଟେ ବର୍ଦ୍ଧନ ଟପ୍ପୋ ଗଣମାଧ୍ୟମ ଆଗରେ କହିସାରିଛି କି, ତାର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନାହିଁ । ଏପରି ସ୍ଥିତିରେ ପୁଲିସ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହୋଇଛି, ହତ୍ୟାକାଣ୍ଡରେ ଏ ଦୁହେଁ କିପରି ସମ୍ପୃକ୍ତ ତାହା ପ୍ରମାଣ କରିବା । ଡ୍ରାଇଭର ହତ୍ୟାରେ ସମ୍ପୃକ୍ତ କି ନାହିଁ ପ୍ରମାଣ କରିବାକୁ ସବୁ ଉଦ୍ୟମ ଲଗାଇ ଦେଇଛି ପୁଲିସ । ହତ୍ୟା ଘଟଣାରେ ଦୁହିଁଙ୍କ ସମ୍ପୃକ୍ତି ନେଇ ଆଉ କିଛି ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି ପୁଲିସ । ଏହି ମାମଲାରେ ଅଭାବ ରହିଥିବା ଦିଗଗୁଡିକ ହେଉଛି, ପ୍ରତ୍ୟକ୍ଷଦର୍ଶୀ, ବୋଲେରୋରେ ରକ୍ତର ଚିହ୍ନ, ଡ୍ରାଇଭରର ବୟାନ, ଯାହାକି ଅନୁପ ସାଏଙ୍କୁ ଖସାଇବାରେ ସାହାଯ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନୁପ ଜଣେ  ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ସ୍ତରରେ ଟଙ୍କାର ଲୋଭ ଦେଖାଇ ମାମଲାକୁ ରଫା ଦଫା କରିବା ପାଇଁ ପ୍ରୟାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି।  ବଡ କଥା ହେଉଛି କଳ୍ପନା ଏବଂ ବବଲିଙ୍କ ତରଫରୁ ଏହି ମାମଲା ଲଢିବ କିଏ ?  ଏହି ମାମଲାରେ କୋର୍ଟରେ ଲଢିବା ପାଇଁ  କଳ୍ପନାଙ୍କ ପୂର୍ବତନ ସ୍ୱାମୀଙ୍କ କ୍ଷମତା ନାହିଁ । ଏପରି ସ୍ଥିତିରେ ଅନୁପ ସାଏ ଏହାର ଫାଇଦା ନେଇପାରନ୍ତି ଏବଂ ସହଜରେ ଖସି ଯାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ହତ୍ୟାକାଣ୍ଡର ଅଧିକ ତଥ୍ୟ ଜାଣିବାକୁ ଅଭିଯୁକ୍ତ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ନେଇଛି ପୁଲିସ । ପୁଲିସ ଠୋସ୍ ପ୍ରମାଣ ଯୋଗାଡ଼ରେ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା।