୫ ଦିନ ସୁଦ୍ଧା ୨୫ କୋଟି ଟପିଲା ସେସୁର ଆୟ

ଓଡିଶା ବଡ ଖବର ବାଣିଜ୍ୟ ରାଜ୍ୟ

ଭୁବନେଶ୍ବର: ବକେୟା ବିଦ୍ୟୁତ ବିଲ ଦେଇନଥିବା ଉପଭୋକ୍ତା ମାନଙ୍କର ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟା ପଞ୍ଚମ ଦିନରେ ପହଞ୍ଚିଛି। ସୋମବାର ସୁଦ୍ଧା ସେସୁର ମୋଟ ବକେୟା ବିଦ୍ୟୁତ ବିଲ ଆଦାୟ ୨୫ କୋଟି ଟପିଛି। ଜାନୁଆରୀ ୧୬ରୁ ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟାରେ ମୋଟ ୭ହଜାର ୬୯୧ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ‌ବେଳେ ଏହାରି ମଧ୍ୟରୁ ୩ ହଜାର ୩୭୫ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ପୁନଃ ସଂଯୋଗ କରାଯାଇଛି। କାରଣ ସେମାନେ ଏହି ଶେଷ ୪ ଦିନ ମଧ୍ୟରେ ସେମାନଙ୍କର ବକେୟା ବିଲ ପୈଠ କରିଛନ୍ତି। ସେସୁ ବିଦ୍ୟୁତ ବିଚ୍ଛିନ୍ନ ପକ୍ରିୟା ପଞ୍ଚମ ଦିନ ସୁଦ୍ଧା ୨୫ କୋଟି ବକେୟା ଆଦାୟ କରାଯାଇଛି। ସେସୁ କର୍ମଚାରୀ ୨୩ କୋଟି ୬ ଲକ୍ଷ ଟଙ୍କା ଆଦାୟ କରିଥିବା ବେଳେ ଅନଲାଇନରେ ୧କୋଟି ୯୬ ଲକ୍ଷ ବକେୟା ବିଲ ମିଳିଛି।

ସେସୁ ପଞ୍ଚମ ଦିନରେ ସେସୁ ପକ୍ଷରୁ ୨୦ଟି ଡିଭିଜନର ୨୪୭ ସେକ୍ସନରୁ ୧ ହଜାର ୪୧୬ ଜଣ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିବା ବେଳେ ୪କୋଟି ୫୩ ଲକ୍ଷ ବକେୟା ବିଲ ଆଦାୟ କରାଯାଇଛି। ୪୮୦ ଜଣ ବିଦ୍ୟୁତ ବିଚ୍ଛିନ୍ନ କର୍ମଚାରୀ ସୋମବାର ୧୦ ହଜାର ୧୨୭ ବକେୟା ବିଲ ପୈଠ କରିନଥିବା ବାଣିଜ୍ୟିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୧ ହଜାର ୪୪୦ ଜଣ ବାଣିଜ୍ୟିକ ଉପଭୋକ୍ତା ସେମାନଙ୍କ ବିଦ୍ୟୁତ ବିଲରେ ତ୍ରୁଟି ଥିବା ଦର୍ଶାଇଥିବା ବେଳେ ୫ ହଜାର ୪୨୮ ଜଣ ଉପଭୋକ୍ତା ଇନଷ୍ଟଲମେଣ୍ଟରେ ବକେୟା ବିଲ ପୈଠ ପାଇଁ ଅନୁରୋଧ କରିଥିଲେ। ୧୦ ହଜାର ୧୨୭ ବାଣିଜ୍ୟିକ ଉପଭୋକ୍ତାଙ୍କ ମଧ୍ୟରୁ ୧ ହଜାର ୪୧୬ ଉପଭୋକ୍ତା ସେମାନଙ୍କ ବିଲ କର୍ମଚାରୀଙ୍କ ଅନୁରୋଧ ପରେ ମଧ୍ୟ ପୈଠ କରିନଥିଲେ। ଯାହା ଫଳରେ ସେମାନଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ସେସୁ ସୂଚନା ଦେଇଛି।

ସେସୁ ପକ୍ଷରୁ ପ୍ରଥମ ଦିନରେ ଅର୍ଥାତ ଜାନୁଆରୀ ୧୬ରେ ୫ କୋଟି ୩୮ ଲକ୍ଷ ବକେୟା ବିଦ୍ୟୁତ ବିଲ୍ ଆଦାୟ କରିଥିବା ବେଳେ, ଦ୍ବିତୀୟ ଦିନରେ ୪ କୋଟି ୬୭ ଲକ୍ଷ,ତୃତୀୟ ଦିନରେ ୪କୋଟି ୮୬ ଲକ୍ଷ , ଚତୁର୍ଥ ଦିନରେ ୩ କୋଟି ୬୨ ଲକ୍ଷ ଏବଂ ପଞ୍ଚମ ଦିନରେ ୪ କୋଟି ୫୩ ଲକ୍ଷ ଟଙ୍କା ଆଦାୟ କାରାଯାଇଛି। ଏହା ବାଦ୍ ଅନଲାଇନ ମାଧ୍ୟମରେ ୧କୋଟି ୯୬ ଲକ୍ଷ ବକେୟା ବିଲ୍ ଉପଭୋକ୍ତାମାନେ ପୈଠ କରିଥିବା ସେସୁ ସୂଚନା ଦେଇଛି।