ଆଜି ଭାରତ ବନ୍ଦ : ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ

ଓଡିଶା ବଡ ଖବର

ଭୁବନେଶ୍ୱର: ଆସନ୍ତାକାଲି  ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚାଇଛନ୍ତି କି ଭାରତ ବନ୍ଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ଅତ୍ୟାବଶ୍ୟକୀୟ ସେବା ଯେପରି ବ୍ୟାହତ ନ ହୁଏ ସେ ଦିଗରେ ସେମାନେ ପଦକ୍ଷେପ ଗ୍ରହଣ କରିବେ | ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ ବୋଲି ଚିଠିରେ କୁହାଯାଇଛି। ଏଠାରେ ସୂଚନା ଥାଉ କି ଭାରତ ବନ୍ଦ ପାଇଁ ବୁଧବାର ଲୋକସେବା ଭବନକୁ ସ୍ୱତନ୍ତ୍ର ସୁରକ୍ଷା ବଳୟରେ ରଖାଯିବ। ଲୋକସେବା ଭବନରେ ବ୍ୟାପକ ପୁଲିସ ମୁତୟନ କରାଯିବ। ସେହିପରି ସକାଳ ୧୦ଟା ୧୫ରେ ଲୋକସେବା ଭବନର ମୁଖ୍ୟ ଗେଟ୍‌ ବନ୍ଦ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଭାରତ ବନ୍ଦ ଯୋଗୁଁ କିଛି ଜିଲ୍ଲାର ସ୍କୁଲଗୁଡ଼ିକ ଛୁଟି ରହିବ। ସ୍କୁଲ ଛୁଟି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଜି ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ହେବ। ସେହିପରି ବନ୍ଦ ପାଇଁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଭଳି ୧୪ ଦଫା ଦାବି ନେଇ ମୋଦୀ ସରକାର ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନଗୁଡ଼ିକ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି। କଂଗ୍ରେସ ସମର୍ଥନ ଦେବା ପରେ ବନ୍ଦର ପ୍ରଭାବ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ତେବେ ବିଜେଡି ଏହି ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଛି।

ଭାରତ ବନ୍ଦ ଆନ୍ଦୋଳନକୁ ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇବା ସହ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ତେବେ ମୋ ବସ୍‌ ପୂର୍ବଭଳି ଚଳାଚଳ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।