ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ :  ଏଣିକି ବଜାରରେ ମିଳିବ କେବଳ ହଲ୍ ମାର୍କ ସୁନା । ଆଜି ପରଠାରୁ ସୁନା ଗହଣା ଉପରେ ହଲ୍ ମାର୍କ ରହିବ । ତେଣୁ ଏବେ ହଲ୍ ମାର୍କ ଦେଖି ଗ୍ରାହକ ସୁନା ଗହଣା କିଣିପାରିବେ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଏହି ନୂଆ ନିୟମ ଲାଗୁ କରିବାକୁ ଗୋଟିଏ ବର୍ଷ ସମୟ ଦିଆଯିବ । ଯାହାଦ୍ବାରା ଏହି ସମୟସୀମା ମଧ୍ୟରେ ଦୋକାନୀ ପୁରୁଣା ସୁନା ଗହଣା ଷ୍ଟକ୍ ଶେଷ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ।

ଏବେ ଦେଶରେ ୮୭୭ଟି ହଲ୍ ମାର୍କିଂ କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ୪୦ ପ୍ରତିଶତ ଗହଣା ଉପରେ ହଲ୍ ମାର୍କିଂ କରାଯାଉଛି । ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମିର ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନାଗହଣା କିଣିଥାନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ସୁନା କିଣିବା ବେଳେ ଆଉ ଲୋକେ ଠକାମିର ଶିକାର ହେବେନାହିଁ ।

ସୂଚନାଯୋଗ୍ୟ ଯେ, ଦେଶର ୨୩୪ ଜିଲ୍ଲାରେ ୮୭୭ ହଲ୍ ମାର୍କ କେନ୍ଦ୍ର ରହିଛି । କେବଳ ୨୬,୦୧୯ ଗହଣା ଦୋକାନୀ ହଲ୍ ମାର୍କ ରଖିଛନ୍ତି । ଦେଶବ୍ୟାପୀ ଛୋଟ ବଡ ପ୍ରାୟ ୬ଲକ୍ଷ ସୁନା ଦୋକାନୀ ରହିଛି ।