ଗ୍ଲାସିୟରରୁ ମିଳିଛି ୨୮ ପ୍ରକାର ନୂଆ ଭୂତାଣୁ

ଦେଶ -ବିଦେଶ ବଡ ଖବର

ଚୀନରେ ଆତଙ୍କ ସୃଷ୍ଟିକାରୀ ‘କରୋନା’ ଭାଇରସ୍‌ ଏବେ ବିଶ୍ଵର ୨୫ ଦେଶକୁ କବଳିତ କରିସାରିଛି। ଚୀନରେ ଏହା ୩୦୦ ଜୀବନ ନେଇସାରିଲାଣି। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ‘କରୋନା’କୁ ନେଇ ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛି। କିନ୍ତୁ ବିପଦ ଏତିକିରେ ଟଳି ନାହିଁ। ଆଗାମୀ ଭବିଷ୍ୟତରେ ସାରା ବିଶ୍ଵ ଆହୁରି ଅନେକ ପ୍ରକାର ଭୟଙ୍କର ଭୂତାଣୁର ସାମ୍ନା କରିବାକୁ ଯାଉଛି। ଏହି ଭୂତାଣୁ ବିଶ୍ଵରେ ଧ୍ଵଂସଲୀଳା ରଚିପାରନ୍ତି। ବୈଜ୍ଞାନିକମାନେ କରିଥିବା ଏକ ଗବେଷଣାରୁ ବିଶ୍ଵବାସୀଙ୍କୁ ଚକ୍କିତ କଲା ଭଳି ଏହି ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହି ଭୂତାଣୁ ବ୍ୟାପିଲେ ହଜାର ହଜାର ବର୍ଷ ପୁରୁଣା ରୋଗରେ ମାନବଜଗତ ଆକ୍ରାନ୍ତ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଆମେରିକୀୟ ବୈଜ୍ଞାନିକମାନେ ତିବ୍ଦତରେ ନୂଆ ଭୂତାଣୁର ସନ୍ଧାନ ପାଇଛନ୍ତି। ଏହି ଭୂତାଣୁ ଦୀର୍ଘ ୧୫ ହଜାର ବର୍ଷ ହେଲା ବରଫ ଭିତରେ ବଞ୍ଚି ରହିଛି। ଗୋଟିଏ ନୁହେଁ, ୨୮ ପ୍ରକାର ଭୂତାଣୁ ହଜାର ହଜାର ବର୍ଷ ଧରି ବରଫରେ ଲୁଚି ରହିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। କୋଲ୍ଡ ସ୍ପ୍ରିଙ୍ଗ୍‌ ହାର୍ବର ଲ୍ୟାବ୍‌ରେ ଥିବା ବାୟୋ ଆର୍କାଇଭ୍‌ ଡାଟାବେସ୍‌ ଜରିଆରେ ବୈଜ୍ଞାନିକମାନଙ୍କୁ ବରଫରେ ଲୁଚି ରହିଥିବା ଏହି ଭୂତାଣୁଙ୍କ ବିଷୟରେ ପତ୍ତା ଲାଗିଛି।

୨୦୧୫ରେ ଆମେରିକାର ଏକ ବୈଜ୍ଞାନିକ ଟିମ୍‌ ତିବ୍ଦତରେ ପହଞ୍ଚିଥିଲେ। ସେଠାରେ ଗ୍ଲାସିୟର(ବରଫ ମାଳଭୂମି) ଭିତରେ କ’ଣ ରହିଛି ତାହା ଜାଣିବାକୁ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ। ଏହା ଉପରେ ଗବେଷଣା କରିବା ପରେ ଚୀନର ଉତ୍ତର-ପଶ୍ଚିବ ତିବ୍ଦତ ମାଳଭୂମିରେ ଥିବା ଏକ ବିଶାଳ ଗ୍ଲାସିୟର ଭିତରେ ୧୫ ହଜାର ବର୍ଷ ପୁରୁଣା ଭୂତାଣୁ ବଞ୍ଚି ରହିଥିବା ଜଣାପଡ଼ିଛି। ଗ୍ଲାସିୟର ଭିତରେ କିପରି ୨୮ ପ୍ରକାର ଭୂତାଣୁ ହଜାର ହଜାର ବର୍ଷ ଧରି ବଞ୍ଚି ରହିଛନ୍ତି ସେ ନେଇ ବୈଜ୍ଞାନିକମାନେ ବାୟୋ ଆର୍କାଇଭ୍‌ ଡାଟାବେସରେ ପ୍ରକାଶିତ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବରଫ ଭିତରେ ରହିଥିବାରୁ ଏହି ଭୂତାଣୁ ଭିନ୍ନ ଭିନ୍ନ ଜଳବାୟୁରେ ଜୀବିତ ରହିଛନ୍ତି ଏବଂ ବାହାରକୁ ଆସିପାରି ନାହାନ୍ତି। କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ବରଫ ତରଳୁଥିବାରୁ ଏସବୁ ଭୂତାଣୁ ସାରା ବିଶ୍ଵକୁ ବ୍ୟାପିଯିବା ସହିତ ବିପଦ ସୃଷ୍ଟି କରିବା ଆଶଙ୍କା ଉପୁଜିଛି। ମଣିଷ ଏହି ଭୂତାଣୁ ସଂସ୍ପର୍ଶରେ ଆସିଲେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ଉପୁଜିପାରେ। ଗ୍ଲାସିୟରର ୨ଟି ନମୁନାକୁ ଗବେଷଣା ସମୟରେ ଅଧ୍ୟୟନ କରାଯାଇଥିଲା। ଏକ ଗ୍ଲାସିୟର ଖଣ୍ଡ ୧୯୯୨ରେ ଏବଂ ଅନ୍ୟଟି ୨୦୧୫ରେ ସଂଗ୍ରହ କରାଯାଇଥିଲା। ଉଭୟ ନମୁନାକୁ ଶୀତଳ ପ୍ରକୋଷ୍ଠରେ ରଖାଯାଇ ଗବେଷଣା କରାଯିବା ସମୟରେ ସେଥିରୁ ୧୫ ହଜାର ବର୍ଷ ପୁରୁଣା ଭୂତାଣୁର ସନ୍ଧାନ ମିଳିଥିଲା। ବୈଜ୍ଞାନିକ ଟିମ୍‌ ତିବ୍ଦତରେ ଥିବା ଗ୍ଲାସିୟର ମାଳଭୂମିର ୫୦ ମିଟର ଗଭୀର ପର୍ଯ୍ୟନ୍ତ ଖନନ କରି ନମୁନା ସଂଗ୍ରହ କରିଥିଲେ। ନମୁନାରୁ ୩୩ ପ୍ରକାର ଭୂତାଣୁର ସନ୍ଧାନ ମିଳିଥିଲା, ଯେଉଁଥିରୁ ୨୮ ପ୍ରକାର ଭୂତାଣୁ ହଜାର ହଜାର ବର୍ଷ ପୁରୁଣା।

ବିଶ୍ଵର ଅନେକ ଗବେଷକ ପୂର୍ବରୁ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ, ଗ୍ଲାସିୟରରେ ଅନେକ ପ୍ରକାର ଭୂତାଣୁ ବଞ୍ଚି ରହିଥାଇ ପାରନ୍ତି। ବରଫ ତରଳିବା ଫଳରେ ଏସବୁ ବ୍ୟାପିବା ସାଙ୍ଗକୁ ନୂଆ ରୋଗ ସୃଷ୍ଟି କରିପାରେ। ଏସବୁ ଏପରି ଭୂତାଣୁ, ଯେଉଁମାନଙ୍କର ମୁକାବିଲା ପାଇଁ ଆଧୁନିକ ବିଶ୍ଵ ପ୍ରସ୍ତୁତ ହୋଇପାରିବ ନାହିଁ।

ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ମଣିଷଙ୍କ ପ୍ରତି ବର୍ତ୍ତମାନ ଭୟଙ୍କର ଭୂତାଣୁର ବିପଦ ସୃଷ୍ଟି ହୋଇଛି। ବିଶ୍ଵ ତାପମାତ୍ରା ଯଦି ୨ ଡିଗ୍ରୀ ବୃଦ୍ଧି ପାଏ, ତେ​ବେ ପରିବେଶର ସ୍ଥିତି ଆହୁରି ଗମ୍ଭୀର ହୋଇଯିବ। ଗ୍ଲାସିୟରରେ ବଞ୍ଚି ରହିଥିବା ଭୂତାଣୁ ବରଫରୁ ବାହାରି ବିଶ୍ଵରେ ଆତଙ୍କ ସୃଷ୍ଟି କରିବେ। ପଶ୍ଚିମ ଆଣ୍ଟାର୍କଟିକାର ଏକ ଅଂଶ ‘ଥ୍ବେଟ୍‌ସ ଗ୍ଲାସିୟର’ ଭବିଷ୍ୟତରେ ସମୁଦ୍ର ଜଳପତ୍ତନ ବୃଦ୍ଧିର କାରଣ ହେବ ବୋଲି କୁହାଯାଉଛି। ଆମେରିକୀୟ ମହାକାଶ ସଂସ୍ଥା ନାସା ଏକ ଗବେଷଣାରୁ ଜାଣିବାକୁ ପାଇଛି ଯେ, ଯଦି ଥ୍ବେଟ୍‌ସ ଗ୍ଲାସିୟର ଭାଙ୍ଗିଯାଇ ସମୁଦ୍ରରେ ମିଶିବ, ତା’ହେଲେ ସମୁଦ୍ର ଜଳସ୍ତର ୫୦ ସେଣ୍ଟିମିଟର ବଢ଼ିଯିବ।