ପାଟକୁରାର ବିକାଶମୂଳକ କାମ ଅନୁଧ୍ୟାନ କଲେ ସିଏମ୍‌ଓ କାର୍ଯ୍ୟାଳୟର ୩ ଅଧିକାରୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

ଭୁବନେଶ୍ବର:  ପାଟକୁରାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାମ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍ ଆଜି ପାଟକୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ନବୀନଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡି.ଏସ.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନେତୃତ୍ୱରେ ୩ଟି ଟିମ୍ କେନ୍ଦ୍ରାପଡା ପାଟକୁରାରେ ପହଞ୍ଚିଥିଲେ । ଲୋକପ୍ରତିନିଧି ମାନଙ୍କ ଠାରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ପ୍ରତି ପଞ୍ଚାୟତର ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିଥିଲେ ।

ଲୋକପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଅଢଙ୍ଗ ଗ୍ରାମପଞ୍ଚାୟତର କିଛି ଲୋକ କୁଟ୍ଟେ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ସ୍କୁଲ ପାଖରେ ଥିବା ମଦ ଦୋକାନକୁ ନେଇ ଅଭିଯୋଗ କରିଥିଲେ । ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଗୋଟିଏ ମଦ ଦୋକାନ ସ୍ଥାନୀୟ ବିଦ୍ୟାଳୟ ନିକଟରେ ଖୋଲାଯାଇଛି ବୋଲି ଅଭିଯୋଗ କରିଥିଲେ । ଆଉ ଏହି ଅଭିଯୋଗ ମିଳିବା ପରେ ବିଦ୍ୟାଳୟ ନିକଟରେ ଥିବା ମଦ ଦୋକାନକୁ ତୁରନ୍ତ ସିଲ୍ କରି ଦିଆଯାଇଛି ।

ଏହାପୂର୍ବରୁ ପାଟକୁରା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ପ୍ରତିଶ୍ରୁତି ମୁତାବକ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ଅଧିକାରୀ ପାଟକୁରାରେ ପହଞ୍ଚି ନିର୍ବାଚନମଣ୍ଡଳୀର ସମସ୍ୟା ବାବଦରେ ଅବଗତ ହୋଇଛନ୍ତି । ତେଣୁ ଆଗକୁ ପାଟକୁରା ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ ।