ଡିଗ୍ରୀ କଲେଜ ପରିଚାଳନା କମିଟି ଭାଙ୍ଗିଲା

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର : ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଆଜି ସମସ୍ତ ଡିଗ୍ରୀ କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ତେବେ ସମସ୍ତ ସ୍ୱୟଂଶାସିତ କଲେଜ ଓ ସଂଖ୍ୟାଲଘୁ ସମୁଦାୟ ଦ୍ୱାରା ଗଠିତ କଲେଜଗୁଡ଼ିକ ଏହି ନିଷ୍ପତ୍ତିରୁ ବାଦ୍ ପଡ଼ିଛନ୍ତି। ପରିଚାଳନା କମିଟିକୁ ଭାଙ୍ଗିବା ସହ କଲେଜଗୁଡ଼ିକର ପରିଚାଳନା କମିଟି ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନଙ୍କୁ ନିଯୁକ୍ତି ଦିଆଯାଇଛି। ତତ୍କାଳ ପ୍ରଭାବରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ଧାରା ୭ ଓ ଉପଧାରା-୬ରେ ଥିବା ପ୍ରାବଧାନର ଉପଯୋଗ କରି ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଯେଉଁ ଡିଗ୍ରୀ କଲେଜଗୁଡ଼ିକ ଜିଲ୍ଲା ମୁଖ୍ୟାଳୟରେ ରହିଛି, ସେହି କଲେଜର ପରିଚାଳନା କମିଟି ସଭାପତି ଭାବେ ସ୍ଥାନୀୟ ଅତରିକ୍ତ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ। ଯେଉଁଠି ଅଧିକ ଅତରିକ୍ତ ଜିଲ୍ଲାପାଳ ଅଛନ୍ତି ସେଠାରେ ଜିଲ୍ଲାପାଳଙ୍କୁ ଚୟନ କ୍ଷମତା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ କଲେଜର ପରିଚାଳନା କମିଟି ସଭାପତି ଦାୟିତ୍ୱରୁ ବିଧାୟକମାନଙ୍କୁ ହଟାଇବା ପାଇଁ ରାଜ୍ୟ ସରକାର ବହୁଦିନରୁ ନିଷ୍ପତ୍ତି ନେଇଥିଲେ। ‘ଓଡ଼ିଶା ରିପୋର୍ଟର’ ଏହି ଖବରକୁ ପ୍ରଥମେ ୨୦୧୯ ଡିସେମ୍ବର ୩୧ତାରିଖରେ ପ୍ରକାଶ କରିଥିଲା।