କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପେନାହିଁ

କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପେନାହିଁ

ଓଡିଶା ବଡ ଖବର

#କୁକୁଡ଼ା_ମାଂସ_ଓ_ଅଣ୍ଡା_ଖାଇବା_ଦ୍ୱାରା_କରୋନା_ଭୂତାଣୁ ବ୍ୟାପେନାହିଁ      ଭୁବନେଶ୍ୱର : କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟଜାତୀୟ ପଦାର୍ଥ ଖାଦ୍ୟ ଗ୍ରହଣ କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହେବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଏହିସବୁ ପଦାର୍ଥର ସଂସ୍ପର୍ଶରେ ଆସିବା ପରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ଉଚିତ୍ ବୋଲି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ଯେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା ମନୁଷ୍ୟଙ୍କୁ କରୋନା ଭୂତାଣୁ(ଏନସିଓଭି-୨୦୧୯) ବ୍ୟାପୁଥିବାର ଏକ ଖବର ପ୍ରସାରିତ ହେବା ସମ୍ପୂର୍ଣ୍ଣ ଗୁଜବ  । ଏପର୍ଯ୍ୟନ୍ତ ଦେଖାଯାଇଛି ଯେ କରୋନା ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ହିଁ କରୋନା ଭୂତାଣୁ ସଂକ୍ରମଣର ଉତ୍ସ , କିନ୍ତୁ ଏହା ମନୁଷ୍ୟରୁ ମନୁଷ୍ୟ ଶରୀରକୁ ବ୍ୟାପିଥାଏ ବୋଲି ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି । କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ବ୍ୟାପିବାର କୌଣସି ତଥ୍ୟ ସାରା ବିଶ୍ୱରେ ମଧ୍ୟ ନଜରକୁ ଆସିନାହିଁ । ବିଗତ ଦିନମାନଙ୍କରେ ଘଟିଯାଇଥିବା କରୋନା ଭୂତାଣୁ ସଂକ୍ରମଣ ଯଥା ୨୦୦୨-୦୩ର ସାର୍ସ, ୨୦୧୨-୧୩ର ମର୍ସ କିମ୍ବା କରୋନା ସମ୍ବନ୍ଧୀୟ ସାଧାରଣ ଥଣ୍ଡାକାଶ କେବେବି କୁକୁଡ଼ା ମାଂସ ଓ ଅଣ୍ଡା ଦ୍ୱାରା ବ୍ୟାପେନାହିଁ । ତେଣୁ କରୋନା ଭୂତାଣୁ ସଂକ୍ରମଣର ଉପଲବ୍ଧ ତଥ୍ୟକୁ ଭିତିକରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ  ।

ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ କୁକ୍କୁଟଜାତୀୟ ପଦାର୍ଥ ସଂସ୍ପର୍ଶରେ ଆସିବା ସମରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ନିୟମିତ ବ୍ୟବଧାନରେ ସାବୁନରେ ହତ ଧୋଇବା, ଆଲକୋହଲଯୁକ୍ତ ଦ୍ରବଣ ହାତରେ ଘଷିବା, କୁକୁଡ଼ା ମାଂସ ଓ ଅଣ୍ଡା ରହିବା ସ୍ଥାନକୁ ସଫାସୁତୁରା ରଖିବା, କଂଚା କୁକୁଡ଼ା ମାଂସକୁ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଠାରୁ ଅଲଗା ରଖିବା ଏବଂ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବା ଉଚିତ । କରୋନା ଭୂତାଣୁ ସଂକ୍ରମଣ ପ୍ରେକ୍ଷାପଟ୍ଟରେ ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି ।