ଦୁର୍ଘଟଣାଗ୍ରସ୍ତ ଡମ୍ପର ତଳୁ ୩ ମୃତଦେହ ଉଦ୍ଧାର

ଓଡିଶା ଜିଲ୍ଲା ରାଜ୍ୟ ସୁନ୍ଦରଗଡ଼

ରାଉରକେଲା: ( ନିଗମାନନ୍ଦ ଦାସ ) ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣମଣ୍ଡପ ନିକଟରେ ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାଗ୍ରସ୍ତ ଟମ୍ପର ତଳୁ ତିନି ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଚଇତୁ ମୁଣ୍ଡା, ରାମଧନ ସିଂହ ଓ ପ୍ରଧାନ ମୁଣ୍ଡା। ଗତକାଲି ରାତିରେ କୁକୁଡ଼ା ଲଢ଼େଇ ଦେଖି ସାରି ଘରକୁ ଫେରୁଥିବା ବେଳେ ଡମ୍ପର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ୧୫ ଜଣଙ୍କୁ ନେଇ ଆସୁଥିବା ଡମ୍ପରଟି ଭାରସାମ୍ୟ ହରାଇବାରୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁତରମାନଙ୍କ ଚିକିତ୍ସା ଏବେ ବି ଜାରି ରହିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଚୋରଧରା ପଞ୍ଚାୟତର ତାଳଡିହି ଗ୍ରାମରେ ଇନ୍ଦ୍ର ଉତ୍ସବ ଚାଲିଥିଲା। ଚୋରଧରା ଗ୍ରାମର କିଛି ଲୋକ ଏକ ଡମ୍ପର (ଓଆର ୧୪ ଆର-୩୮୨୨)ରେ ଇନ୍ଦ୍ର ଉତ୍ସବ ଦେଖିବାକୁ ଯାଇଥିଲେ। ସେଠାରେ ଚାଲିଥିବା କୁକୁଡ଼ା ଲଢ଼େଇ ଦେଖି ଡମ୍ପର ଡାଲା ଉପରେ ବସି ଘରକୁ ଫେରୁଥିଲେ। ଏତିକି ବେଳେ ଗ୍ରାମପଞ୍ଚାୟତ କଲ୍ୟାଣମଣ୍ଡପ ନିକଟରେ ରାତି ୭ଟାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡମ୍ପର ଡାଲା ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ୨ ଜଣଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ଆଜି ଜଣେ ଲୋକଙ୍କର ମୃତହେଦ ଉଦ୍ଧାର କରିଥିଲା। ରାତି ଯୋଗୁଁ ଲୋକେ ଡମ୍ପରକୁ ହଟାଇ ପାରି ନ ଥିଲେ।