୮ମ ଯାଜପୁର ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

ଯାଜପୁର : ୮ମ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି -୨୦୨୦ ଚଳିତ ମାସ ୧୫ରୁ୧୯ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆଠାରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସଭାପତିତ୍ୱରେ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲପାଳ ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଓଡିଆ ଭାଷା, ସାହିତ୍ୟ , ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ଓ ଯାଜପୁର ପୈାର ପ୍ରଶାସନ ମିଳିତ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହେଉଥିବାରୁ ଚଳିତ ବର୍ଷ ମହୋତ୍ସବକୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଯଯାତି ମହୋତ୍ସବର ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଓ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କୁ ଅତିଥିଭାବେ ନିମନ୍ତ୍ରିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ପୂଜା ଅର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଆସି ବାଳାଶ୍ରମ ପଡିଆରେ ପହଞ୍ଚିବାପରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ପଲ୍ଲିଶ୍ରୀ ମେଳାରେ ୧୪୦ରୁ ଉଦ୍ଧ୍ୱର୍ ଷ୍ଟଲ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରେ ଆମ ଜିଲ୍ଲା ସହ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କର ଷ୍ଟଲ ବିଭିନ୍ନ ବିଭାଗ ଓ ଶିଳ୍ପାନୁଷ୍ଠାନମାନଙ୍କ ଷ୍ଟଲ ସ୍ଥାନିତ ହେବ । ମହୋତ୍ସବ ସ୍ଥଳରେ ପାନୀୟ ଜଳ, ପରିମଳ, ଆଲୋକ ବ୍ୟବସ୍ଥା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ବ୍ୟବସ୍ଥା , ଗମନାଗମନ ଇତ୍ୟାଦିର ସୁବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ଥିବା ଅନୂଷ୍ଠାନର କଳାକାରମାନଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯିବ । ଉଦ୍ ଘାଟନ ଦିବସରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜିଲ୍ଲା ଓ ଜିଲ୍ଲା ବାହାର କୃତୀ ସନ୍ତାନଙ୍କୁ ୍ୟାତି ସମ୍ମାନରେ ସମ୍ମାନ କରାଯିବ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା , ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ