ଆଜିଠୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

୭ ଯାଏ ବର୍ଷା, ୮ରୁ ଶୁଖିଲା ପାଗ

ଓଡିଶା ବଡ ଖବର ରାଜ୍ୟ

#୭_ଯାଏ_ବର୍ଷା,_୮_ରୁ_ଶୁଖିଲା_ପାଗ   ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଏକାଧିକ ଜିଲ୍ଲା ଭିଜିଛି। ଏହାର ପ୍ରଭାବ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୮ ତାରିଖରୁ ପାଗ ଶୁଖିଲା ରହିବ। ଦିନରେ ତାପମାତ୍ର ବଢ଼ିବ।

ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ଓ ନିକଟବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୫ ତାରିଖରେ କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ବୌଦ୍ଧ, ଦେବଗଡ଼, କନ୍ଧମାଳ, ଝାରସୁଗୁଡ଼ା, ସମ୍ୱଲପୁର ଓ ରାୟଗଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ। ଏଥି ସହିତ କୁଆପଥର ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ସେଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସେହିପରି ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତର ମଧ୍ୟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନୂଆପଡ଼ା, ରାୟଗଡ଼ା, ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, କନ୍ଧମାଳ, ବୌଦ୍ଧ, କଟକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ବ୍ୟତୀତ ବାଲେଶ୍ୱର, ଭଦ୍ରକ, ନୟାଗଡ଼, ଖୋର୍ଦ୍ଧା, ଯାଜପୁର ଓ ଗଞ୍ଜାମ ଜିଲ୍ଲାରେ କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। କୁଆପଥର ଓ ବଜ୍ରପାତ ନେଇ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ।

ସେହିପରି ୭ ତାରିଖରେ ମଧ୍ୟ ସ୍ୱଳ୍ପ ବୃଷ୍ଟିପାତ ଓ କୁଆପଥର ବର୍ଷା ହେବ। ଏହାର ପ୍ରଭାବ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିବ। ତେବେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାରଣ ଏହି ଜିଲ୍ଲା ଗୁଡ଼ିକରେ କୁଆପଥର ବର୍ଷା ସହ ପବନ ବୋହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ।

ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଭୁବନେଶ୍ୱର ଓ ଓଡ଼ିଶାର କେତେକ ସ୍ଥାନ ଭିଜିଛି। ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ଆକଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପ୍ରଥମେ ପ୍ରବଳ ବେଗରେ ପବନ ବହିଥିଲା। ପରେ ବର୍ଷା ହୋଇଥିଲା। ଯାହାଫଳରେ ରାଜଧାନୀରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲେ। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା।