୨୯ ରୁ ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଓଡିଶା ଖେଳ ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର : ପ୍ରତିବର୍ଷ ପରି ଚଳିତବର୍ଷ ଜାନୁଆରୀ ୨୯ ତାରିଖଠାରୁ ୭ମ ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଯାଜପୁର ଜିଲ୍ଲା ସଦରମହକୁମାସ୍ଥ ଅଶୋକ ମଇଦାନ(କିଲ୍ଲା ପଡ଼ିଆ)ଠାରେ ୯ ଦିନବ୍ୟାପୀ ଅନୁଷ୍ଠିତ ହେବ । ମେଲବୋର୍ଣ୍ଣ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ ତଥା ଅଶୋକ ଦାସ ଫାଉଣ୍ଡେସନ୍ ସହାୟତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ଝାଡ଼ଖଣ୍ଡ, ଛତିଶଗଡ଼ରୁ ସମୁଦାୟ ୧୦ଟି କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

ଏହି ଅବସରରେ ସ୍ଥାନୀୟ ଜଳସେଚନ ବିଭାଗ ଡାକବଙ୍ଗଳାରେ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ସମ୍ପାଦକ ଅଭୟ ବଲ୍ଲଭ ପଣ୍ଡା, ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ର ଯୁଗ୍ମ ସମ୍ପାଦକ ଅଧ୍ୟାପକ ଜ୍ଞାନଚାନ୍ଦ ଦାସ, କ୍ରୀଡ଼ାବିତ୍ ମନୋଜ ସାହୁ, ଶ୍ରୀଜୟ ମହାପାତ୍ର, ଧମ୍ରେନ୍ଦ୍ର ସାହୁ, ଅୟସକାନ୍ତ ଧଳ, ସଚ୍ଚିଦାନନ୍ଦ ଜେନା ଓ ସୁବାସିଷ ରାଉତ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

ସୂଚନା ଅନୁଯାୟୀ ଏହି ୯ ଦିନବ୍ୟାପୀ ଟୁର୍ଣ୍ଣାମେଣ୍ଟରେ ଫେବୃଆରୀ ୧ ତାରିଖ ଦିନ ଏକ ପ୍ରଦର୍ଶନୀ ମ୍ୟାଚ୍ ଯାଜପୁର ବିଧାୟକ ଏକାଦଶ ଓ ଜିଲ୍ଲାପାଳ, ଯାଜପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟାପନୀ ଉତ୍ସବରେ ଓସିଏ ର ସଭାପତି ପଙ୍କଜ ମହାନ୍ତିଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଓସିଏ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟକୁ ସବୁପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ମିଳିଥିବା କମିଟିର କର୍ମକର୍ତ୍ତା ସୂଚନା ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଆସନ୍ତା ଫେବୃଆରୀ ୭ ତାରିଖରେ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ୍ର ବିଜେତାଙ୍କୁ ୫୦ ହଜାର ଓ ରନର୍ସଅପ୍ ଦଳକୁ ୩୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।