୧୧,୩୯୭ ଗାଁରେ କଟିବ ବିଦ୍ୟୁତ ଯୋଗାଣ,୧୬ରୁ ସେସୁର ଅଭିଯାନ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର :  ରାଜ୍ୟର ୧୧,୩୯୭ଟି ଗାଁରେ ବିଦ୍ୟୁତ୍‌ ସଂଯୋଗ କରିବାକୁ ସେସୁ ନିଷ୍ପତ୍ତି ନେଇଛି। ସେସୁ ଦ୍ୱାରା ଏହି ଅଭିଯାନ ଚଳିତ ମାସ ୧୬ ତାରିଖ ଠାରୁ ଆରମ୍ଭ ହେବ। ବକେୟା ବିଲ ଥିବା ଗ୍ରାହକଙ୍କ ଘରକୁ ଯାଇ କମ୍ପାନିର କର୍ମଚାରୀମାନେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବେ। ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅରୁଣ ବୋଥ୍ରା ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସିଇଓ ବୋଥ୍ରା କହିଛନ୍ତି ଯେ, ଏଯାଏ ୧ ଲକ୍ଷ ୧୦ ହଜାର ଗ୍ରାହକ ସେମାନଙ୍କର ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିଛନ୍ତି। ବକେୟା ପଡ଼ିଥିବା ପ୍ରାୟ ୬ ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ମାତ୍ର ୧.୧୦ ଲକ୍ଷ ଗ୍ରାହକ ବିଲ୍ ପୈଠ କରିଛନ୍ତି। ବକେୟା ଥିବା ୧୯୭୧ କୋଟିରୁ ମାତ୍ର ୨୧ କୋଟି ଟଙ୍କା ଆଦାୟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ବିଦ୍ୟୁତ୍‌ କଟାଯିବା ପାଇଁ ୧୧ ହଜାର ୩୯୭ଟି ଗାଁକୁ ଚିହ୍ନଟ କରାଯାଇଛି। ଏହି କାମ ୪୧୩ଟି ସ୍ୱତନ୍ତ୍ର ଟିମ୍‌ ଦ୍ୱାରା କରାଯିବ। ବକେୟା ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ କରା ନ ଗଲେ ବିଦ୍ୟୁତ୍‌ କଟାଯିବ। ବିଦ୍ୟୁତ ସଂଯୋଗ କଟାଯିବା ପୂର୍ବରୁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାକୁ ନୋଟିସ୍ ପଠାଯାଇଛି। କେବଳ ଘରୋଇ ଗ୍ରାହକ ନୁହନ୍ତି, ୫୯୬୫ ସରକାରୀ ଅନୁଷ୍ଠାନର ବିଦ୍ୟୁତ୍‌ ବିଲ ଏବେ ମଧ୍ୟ ବାକି ପଡ଼ିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି।

ଗତ ଡିସେମ୍ବର ୧୦ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋଥ୍ରା କହିଥିଲେ ଯେ, ଲୋକଙ୍କୁ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଇ ଦେବାକୁ ହେଲେ  ଅର୍ଥ ଆବଶ୍ୟକ। ତେଣୁ ବିଦ୍ୟୁତ୍‌ ବିଲ୍ ନିର୍ଦ୍ଧାରିତ ସମୟରେ ଜମା କରିବା ସମସ୍ତଙ୍କର ଦାୟିତ୍ୱ ହେବା ଦରକାର।