ୟୁନିସେଫ୍‌ ମ୍ୟୁଜିକ୍ ଭିଡିଓରେ ସ୍ଥାନ ପାଇଲା ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟ ଛାତ୍ରାଛାତ୍ରୀଙ୍କ ନୃତ୍ୟ

ଓଡିଶା ଜିଲ୍ଲା ରାଜ୍ୟ ରାୟଗଡା

ରାୟଗଡ଼ା : ପୁଣିଥରେ ରାୟଗଡ଼ା ଜିଲ୍ଲାର ଗୌରବକୁ ସାରା ବିଶ୍ବରେ ବଢ଼ାଇଛନ୍ତି ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ। ନୂଆବର୍ଷ ଉପଲକ୍ଷେ ୟୁନିସେଫ ପକ୍ଷରୁ ସଦ୍ୟ ପ୍ରସ୍ତୁତ ତଥା ସର୍ବସାଧାରଣ ଲାଗି ମୁକ୍ତିଲାଭ କରିଥିବା ମ୍ୟୁଜିକ ଭିଡିଓରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଆଦିବାସୀ ନୃତ୍ୟ ଦେଖିବାକୁ ମିଳିଛି। ଆଦିବାସୀ ସଂସ୍କୃତିକୁ ବିଶ୍ବରେ ପହଞ୍ଚାଇବାକୁ ଏହି ଭିଡିଓକୁ ୟୁନିସେଫ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରିଛି। ଯୁବକ ତଥା ଶିଶୁଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେବା ଲାଗି ଜାତୀୟସ୍ତରରେ ବିଭିନ୍ନ ରାଜ୍ୟର ବିଦ୍ୟାଳୟ ଓ ପିଲାଙ୍କୁ ନେଇ ପ୍ରସ୍ତୁତ ତିନି ମିନିଟର ମ୍ୟୁଜିକାଲ ଭିଡିଓରେ ସର୍ଗିଫୁଲରେ ପ୍ରଦର୍ଶିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ନୃତ୍ୟକୁ ସାମିଲ କରାଯାଇଛି। ଯେଉଁଥିରେ ଭାକୁରଗୁଡ଼ା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୃତ୍ୟର କିଛି ଅଂଶକୁ ମଧ୍ୟ ସ୍ଥାନିତ କରିଛନ୍ତି। ବିବିଧତାରେ ଭରା ଏହି ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି ଏବଂ ଚଳିତ ସର୍ଗିଫୁଲ ପ୍ରତିଯୋଗିତାରେ ଦଳଗତ ନୃତ୍ୟରେ ଶ୍ରେଷ୍ଠ ସ୍ଥାନ ଦଖଲ କରି ଛାତ୍ରଛାତ୍ରୀ ପୁରସ୍କୃତ ମଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ଅଭିନବ ପରିଚାଳନା, ବିବିଧ କ୍ଷେତ୍ରରେ ପିଲାଙ୍କ ଅପୂର୍ବ ଦକ୍ଷତା, ନିଆରା ଶୈକ୍ଷିକ କାର୍ଯ୍ୟ ପ୍ରଣାଳୀ ଓ ବିଦ୍ୟାଳୟର ଆକର୍ଷଣୀୟ ଶୈକ୍ଷିକ ପରିବେଶକୁ ନେଇ ଏହି ବିଦ୍ୟାଳୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ସବୁବେଳେ ଅନ୍ୟମାନଙ୍କୁ ଆକର୍ଷିତ କରି ଆସିଛି। ସ୍ବଚ୍ଛତା ଲାଗି ମଧ୍ୟ ଏହି ବିଦ୍ୟାଳୟ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଅଭିନବ କାର୍ଯ୍ୟକ୍ରମକୁ ନେଇ ଅତୀତରେ ୟୁନିସେଫ ପକ୍ଷରୁ ବିଦ୍ୟାଳୟର ସମସ୍ତ ଗତିବିଧିକୁ ନେଇ ସ୍ବତନ୍ତ୍ର ଭାବେ ପ୍ରାମାଣିତ ଚଳଚ୍ଚିତ୍ର କରାଯାଇଥିବା ବେଳେ ନିକଟ ଅତୀତରେ ୟୁନିସେଫ ରାଜ୍ୟ ପ୍ରମୁଖ ମୋନିକା ନେଲସନ ଓ ରାଜ୍ୟ ୟୁନିସେଫ ଶିକ୍ଷା ବିଭାଗ ପରାମର୍ଶଦାତ୍ରୀ ଲଲିତା ପଟ୍ଟନାୟକ ପ୍ରମୁଖ ପରିଦର୍ଶନରେ ଆସି ପିଲାଙ୍କ କାର୍ଯ୍ୟ ସମୂହ ଦେଖି ଅଭିଭୂତ ହୋଇଥିଲେ। ‘ସକାଳ ହେଲା, ସପନକୁ ଜାଗ୍ରତ କରିବାର ବେଳ ଆସିଲା , ‘ଶିଶୁ ଦେଶର ଭବିଷ୍ୟତର ଚଷମା’ ସଂପର୍କିତ ଏହି ସୁନ୍ଦର ଭାବଧାରାର ହିନ୍ଦୀ ମ୍ୟୁଜିକ୍ ଭିଡିଓଟିକୁ ଦୀର୍ଘ ଦିନ ଧରି ପିଲାଙ୍କ ପାଇଁ କାମ କରି ଆସୁଥିବା ଜର୍ମାନୀର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ରିକି କେଜ୍ ନୂତନ ବର୍ଷ ଅବସରରେ ୟୁନିସେଫ ପାଇଁ ପ୍ରସ୍ତୁତ କରିଛନ୍ତି।