ହାଇକୋର୍ଟଙ୍କ ନିର୍ଦ୍ଦେଶ : ଛତର ଯାତ୍ରାରେ ବଳି ପଡିଲେ ଦାୟୀ ରହିବେ ଜିଲ୍ଲାପାଳ ,ଏସ୍‌ପି

ଓଡିଶା କଳାହାଣ୍ଡି ଜିଲ୍ଲା ବଡ ଖବର ରାଜ୍ୟ

କଟକ:  ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ବଳି ଉପରେ କୋର୍ଟ ଲଗାଇଲେ କଡା ଅଙ୍କୁଶ । ହାଇକୋର୍ଟ ଏଥିନେଇ ରଖିଛନ୍ତିସ୍ପଷ୍ଟ ନିର୍ଦ୍ଦେଶ । ଯଦି ଛତର ଯାତ୍ରାରେ ପଶୁ ବଳି ପଡେ , ତେବେ ଦାୟୀ ହେବେ କଳାହାଣ୍ଡି ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକ । ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶରେ ରହିଛି ଆହୁରି କିଛି ତଥ୍ୟ । ପଶୁ ବଳି ରୋକିବାକୁ ଜନସଚେତନତା କାର୍ଯ୍ୟକ୍ରମ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ । ଛତର ଯାତ୍ରାର ମାସେ ଆଗରୁ କରାଯିବ ସଚେତନତା କାର୍ଯ୍ୟକ୍ରମ । ବଳି ରୋକିବାକୁ ମଧ୍ୟ କଡା ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ । ବଳି ସ୍ଥଳରେ ଏବଂ ରାସ୍ତତା କଡରେ ବଳିକୁ ରୋକିବାକୁ ସିସିଟିଭି କ୍ୟାମେରା ଲଗାଇବାକୁ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ମାଆ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା ବେଶ ପ୍ରସିଦ୍ଧ । ଏଠାକୁ ଜିଲ୍ଲା ଭିତରୁ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ।ପ୍ରତିବର୍ଷ ଦୁର୍ଗାପୂଜାର ଅଷ୍ଟମୀ ତିଥିରେ ସାରା ରାତି ପୂଜା କରାଯାଇଥାଏ । ନବମୀ ତିଥିର ସକାଳେ ଜେମାଖାଲରୁ ମାଆଙ୍କ ବିଜୟ ପ୍ରତିମା ଛତର ମାଣିକେଶ୍ୱରୀ ମନ୍ଦିର ଅଭିମୂଖେ ଆସିଥାଏ । ଏହି ସମୟରେ ମାନସୀକଧାରୀ ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ପଶୁ- ପକ୍ଷୀଙ୍କୁ ବଳି ଦେଇଥାନ୍ତି । ଫଲକେ ସେହି ରାସ୍ତା ରକ୍ତ ରଞ୍ଜିତ ହୋଇଯାଇଥାଏ । ପ୍ରତି ବର୍ଷ ଏହି ପରମ୍ପରା ଚାଲି ଆସୁଥିବା ବେଳେ ହଜାର ହଜାର ନିରୀହ ପଶୁପକ୍ଷୀଙ୍କ ଏପରି ବଳି ପଡିଆସୁଛି । ଏହାକୁ ରୋକିବାକୁ ଏବେ ଅଦାଲତ କଠୋର ହୋଇଛନ୍ତି ।