ସୋମବାର ଚିଲିକାରେ ପକ୍ଷୀ ଗଣନା

ଓଡିଶା ଖୋର୍ଦ୍ଧା ଜିଲ୍ଲା ବଡ ଖବର ରାଜ୍ୟ

ବାଲୁଗାଁ : ଚଳିତ ବର୍ଷ ଚିଲିକାରେ ପକ୍ଷୀଗଣନା ଆସନ୍ତାକାଲି( ସୋମବାର ଦିନ) କରାଯିବ। ଏଥିନିମନ୍ତେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଓ ତାଲିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ଡିଏଫଓ ଆଲୋକ ରଞ୍ଜନ ହୋତା ଓ ବମ୍ବେ ନାଚୁରାଲ୍ ହିଷ୍ଟ୍ରି ଆଣ୍ତ ସୋସାଇଟର ଉପ ନିର୍ଦ୍ଦେଶକ ଏସ୍‌ ବାଲଚନ୍ଦ୍ରନଙ୍କ ମିଳିତ ନେତୃତ୍ବରେ ପକ୍ଷୀ ଗଣନା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଚଳିତବର୍ଷ ଚିଲିକା‌ ପକ୍ଷୀଗଣନା କାର୍ଯ୍ୟରେ ୧୫୦ଜଣ ନିୟୋଜିତ ହେବେ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଚିଲିକା ଉନ୍ନୟନ ବିଭାଗର ଅତିରିକ୍ତ ଅଧିକାରୀ ସମ୍ରାଟ ଗୌଡ଼, ଏସିଏଫ୍ ବିନୋଦ ଆଚାର୍ଯ୍ୟ, ମିହିର ଜେନା, ଫଣି ନନ୍ଦ, ମଙ୍ଗଳାଯୋଡ଼ି ପକ୍ଷୀ ସୁରକ୍ଷା ଟ୍ରଷ୍ଟ ସଭ୍ୟ ଆଶିଷ ଜେନା, ଅନୀତା ପଣ୍ତା, ସଞ୍ଜୟ ରାଉତ ଓ ବରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ା ରେଞ୍ଜ୍‌କୁ ନେଇ ଚିଲିକା ଗଠିତ ହୋଇଥିବା ବେଳେ ୨୧ଟି ଦଳକୁ ନେଇ ଚିଲିକାର ସମସ୍ତ ଅଞ୍ଚଳରେ ପକ୍ଷୀଗଣନା କରାଯିବ ବୋଲି ଡିଏଫ୍ଓ ଶ୍ରୀ ହୋତା କହିଛନ୍ତି।

ସୋମବାର ଭୋର ୫ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ଶେଷ ହେବା ପରେ ମଧ୍ୟାହ୍ନ ୧ଟାରୁ ୫ଟା ମଧ୍ୟରେ ପକ୍ଷୀ ଗଣନା ସଂପର୍କରେ ସମୀକ୍ଷା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ବିଭାଗୀୟ କତ୍ତୃର୍ପକ୍ଷଙ୍କ ଠାରୁ ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଡିଏଫ୍ଓ ଶ୍ରୀ ହୋତା ପ୍ରକାଶ କରିଥିବା ବେଳେ ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲ୍‌ଡ ଲାଇଫ୍, ଓଡ଼ିଶାର ସଭ୍ୟ ଓ ଡବ୍ଲ୍ୟଡବ୍ଲ୍ୟଏଫ୍‌ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ବୋଲି ଶ୍ରୀ ହୋତା ସୂଚନା ଦେଇଛନ୍ତି।