ସମ୍ପତ୍ତିକୁ ନେଇ ଅଭାବନୀୟ ଘଟଣା,ମା’ ଓ ଦୁଇ ଭଉଣୀଙ୍କୁ ଗଛରେ ବାନ୍ଧିଲେ ଦୁଇ ଭାଇ

ଓଡିଶା ଜଗତସିହଂପୁର ବଡ ଖବର ରାଜ୍ୟ

ପାରାଦ୍ବୀପ : (ଶାନ୍ତନୁ ମହାକୁଳ ) କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ହସିଣା (ଖ) ଗ୍ରାମରେ ସମ୍ପତ୍ତି କୁ ନେଇ ଘଟିଛି ଅଭାବନୀୟ ଘଟଣା। ଦୁଇ ଭାଇ ମିଶି ମା ଓ ଦୁଇ ଭଉଣୀଙ୍କୁ ନଡିଆ ଗଛରେ ବାନ୍ଧି ପିଟିଥିବାର ଫଟୋ ଭାଇରାଲ ହୋଇଛି।

ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ମା ଓ ଦୁଇ ଝିଅ ଙ୍କୁ ବନ୍ଧା ହୋଇଥିବା ଅବସ୍ଥା ରେ ଉଦ୍ଧାର କରିଥିବା ବେଳେ ଦୁଇ ବୋହୁ ଓ ପଡ଼ୋଶୀଙ୍କ ବୟାନ କିନ୍ତୁ ଘଟଣାକୁ ଭିନ୍ନ ମୋଡ଼ ଦେଇଛି।କୁଜଙ୍ଗ ହସିଣା (ଖ) ଗ୍ରାମରେ ମା ଓ ଦୁଇ ଝିଅ ଙ୍କୁ ନଡିଆ ଗଛରେ ବାନ୍ଧି ମାଡ ମାରିବା ଘଟଣା ଏବେ ନେଇଛି ଭିନ୍ନ ମୋଡ଼। ଦୀର୍ଘ ଦିନ ଧରି ମା ଓ ଦୁଇ ଭଉଣୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଦୁଇ ଭାଇ ଓ ପଡୋଶୀ ମିଶି ବାନ୍ଧିଥିଲେ ସେମାନଙ୍କୁ। ଦୁଇ ବିବାହିତା ଭଉଣୀ ଅନିମା ତରାଇ, ପୁଷ୍ପଲତା ସାମଲ ଓ ମା ହାରାମଣୀ ମିଶି ଦୀର୍ଘଦିନ ହେବ ଦୁଇ ଭାଇଙ୍କୁ ହଇରାଣ କରୁଥିଲେ। ସେମାନଙ୍କ କୋଠା ଘର ଭିତରେ ମାଟିରେ ଇଟା ଯୋଡାଇ କରି ରହୁଛନ୍ତି ଦୁଇ ଭଉଣୀ ଓ ମା । ଏପରିକି ସେମାନେ ରୋଷେଇ କରିଥିବା ଖାଦ୍ୟ କୁ ଜବରଦସ୍ତି ନେଇଯାଉଥିଲେ ବୋଲି ସାନବୋହୁ ମମତା ତରାଇ ପ୍ରକାଶ କରିଛନ୍ତି ।

ଘଟଣା ଦିନ ଦୁଇ ଭାଇଙ୍କୁ ମିଳିଥିବା ସରକାରୀ ଶୌଚାଳୟ ତିଆରି ହେଉଥିବା ବେଳେ ସେମାନେ ସାନ ଭାଇ ଗଜେନ୍ଦ୍ର ଙ୍କୁ କାମ ବନ୍ଦ କରିବାକୁ କହିବା ସହିତ ସେଠାରେ ଥିବା ଦୁଇଟି କୋଦାଳକୁ ଧରି ହାଣିବାକୁ ଗୋଡାଇଥିଲେ ଦୁଇ ଭଉଣୀ । ଫଳରେ ସେଠାରେ ଥିବା ଅନ୍ୟ ପଡୋଶୀ ଓ ବଡଭାଇ ବିଜୟ ଉଭୟ ମା ଓ ଭଉଣୀ ଙ୍କୁ କାବୁକରି ଗଛରେ ବାନ୍ଧି ଦେଇଥିଲେ ବୋଲି ପଡୋଶୀ ପୁଷ୍ପଲତା ସାମଲ ପ୍ରକାଶ କରିଛନ୍ତି।

ତେବେ ଗତ ମଙ୍ଗଳବାର ଦିନ ଅପରାହ୍ନରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଦୁଇ ଭାଇ ଓ ପଡୋଶୀ ମିଶି ମା ଓ ଦୁଇ ଝିଅ ଙ୍କୁ ନଡିଆ ଗଛରେ ବାନ୍ଧି ପିଟିଥିବାର କୁଜଙ୍ଗ ପୋଲିସ ଖବର ପାଇଥିଲା। ସଙ୍ଗେ ସଙ୍ଗେ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ତିନିଜଣଙ୍କୁ ବନ୍ଧା ହୋଇଥିବା ଅବସ୍ଥା ରେ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରୁ ଦୁଇ ଭାଇଙ୍କୁ ମଧ୍ୟ ଥାନାକୁ ଆଣି ଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା କୁ ସେମାନେ ନିଜେ କରିଥିବା ସ୍ବୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି|

ଅନ୍ୟ ପକ୍ଷରେ ଏହି ଘଟଣା ପରେ ଦୁଇ ଭଉଣୀ ଓ ମା ଗ୍ରାମରେ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ନିର୍ଯ୍ୟାତନା ର ସୀମା ଟପିଲେ ମଣିଷ ଯେ କୌଣସି ସ୍ତରକୁ ଯାଇପାରେ, ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କୁଜଙ୍ଗ ହସିଣା ଗ୍ରାମରେ। ଦୁଇ ଭାଇ ମିଶି ନିଜ ଜନ୍ମକଲା ମା ଓ ଦୁଇ ଭଉଣୀଙ୍କୁ ନଡିଆ ଗଛରେ ବାନ୍ଧି ପିଟିଥିବାର ହୃଦୟ ବିଦାରକ ଦୃଶ୍ୟ ସାଧାରଣ ଲୋକଙ୍କୁ ଚକିତ କରିଛି।