ସନ୍ତୋଷଙ୍କୁ ଜେଲ୍ ଡିଜି, ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଏଡିଜି

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ୱର: ଗତ ସପ୍ତାହରେ ପଦୋନ୍ନତି ପାଇଥିବା କିଛି ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ସରକାର ଆଜି ବଦଳି କରିଛନ୍ତି। ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିବା ସହ ଆଇନଶୃଙ୍ଖଳା ଓ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ୧୯୮୮ ବ୍ୟାଚ୍ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିବା ପରେ ଆଜି ତାଙ୍କୁ ଜେଲ୍ ଡିଜି ଓ କରେକସନାଲ ସର୍ଭିସ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ଅତିରିକ୍ତ ଡିଜି (ଆଇନଶୃଙ୍ଖଳା) ୧୯୯୩ ବ୍ୟାଚ୍ ଆଇପିଏସ୍ ଆରପି କୋଚେଙ୍କୁ ସ୍ପେଶାଲ ଆର୍ମଡ୍ ପୁଲିସ୍ ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି। ସେହିପରି ଗତ ସପ୍ତାହରେ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ୧୯୯୫ ବ୍ୟାଚ୍ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ଭାବେ ବଦଳି କରାଯାଇଛି। ସେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସେହିପରି ୧୯୯୫ ବ୍ୟାଚ୍ ଆଇପିଏସ୍ ପିଏସ ରଣପିସେଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ସହ ଭିଜିଲାନ୍ସ ବିଭାଗରେ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

୨୦୦୦ ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ ପୁଲିସ ମୁଖ୍ୟାଳୟର ଆଇଜି(ପ୍ରୋଭିଜନିଂ) ଭାବେ ବଦଳି କରାଯାଇଛି। ସେହିପରି ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ୨୦୦୬ ବ୍ୟାଚ୍ ଆଇପିଏସ୍ ଅନୁପ କୁମାର ସାହୁଙ୍କୁ କମିଶନରେଟ ପୁଲିସରେ ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ ଜାରି ରଖିବେ।