ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଡିଶା ବଡ ଖବର ମହାନଗର ରାଜ୍ୟ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଡ଼ ଧରଣର  ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫ ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍  ଅଧିକାରୀ ଏବଂ ଜଣେ ଆଇପିଏସ୍ ଅଧିକାରୀ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ହେଉଛି ୨୦୨୦ ବର୍ଷର ପ୍ରଥମ ଅଦଳବଦଳ।

୧୯୮୮ ବ୍ୟାଚର ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ୧୯୯୩ ବ୍ୟାଚର ଅଧିକାରୀ  ନିକୁଞ୍ଜ ବିହାରୀ ଧଳଙ୍କୁ  ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ୧୯୯୭ ବ୍ୟାଚର ଆଇଏସ୍ ପ୍ରମୋଦ ମେହେର୍ଦ୍ଦାଙ୍କୁ  ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଦାୟିତ୍ବ ମିଳିଛି । ଏଥିସହ ମେହେର୍ଦ୍ଦାଙ୍କୁ  କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।  ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ସିଏମଡି ଦାୟିତ୍ବ ମିଳିଛି। ୨୦୧୪ ବ୍ୟାଚର ଆଇଏସ୍ ୟେଦୁଲା ବିଜୟଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ଉପ-ସଚିବ ଭାବେ ଅବସ୍ଥାପିତ କରାଯାଇଥିବା‌ ବେଳେ ୨୦୧୬ ବ୍ୟାଚର ଆଇଏସ୍ ବିଦ୍ୟ ଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ମୁନିସିପାଲ୍ କର୍ପୋରେସନର କମିସନର ଭାବେ ନିଯୁକ୍ତି ଦିଆଯାଇଛି। ପରିଡ଼ାଙ୍କୁ ଅତିରିକ୍ତ ଭାବେ ରାଉରକେଲା ସ୍ମାର୍ଟ ସିଟି କର୍ପୋରେସନର ସିଇଓ ଦାୟିତ୍ବ ମିଳିଛି ।

ଏଥିପୂର୍ବରୁ ୨୦୧୯ ଡିସେମ୍ବର ୨୮ ତାରିଖରେ ମଧ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଥିଲେ। ୨୦୦୪ ବ୍ୟାଚ୍‌ ଆଇଏଏସ ଅଧିକାରୀ ତଥା ଶ୍ରମ କମିସନର ନିରଞ୍ଜନ ସାହୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ହୋଇଥିଲେ । ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ ଆଇଏଏସ ଅଧିକାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ଥିବା ଏନ୍. ଥିରୁମାଲା ନାଏକଙ୍କୁ ଶ୍ରମ କମିସନର ଭାବେ ନିଯୁକ୍ତି ମିଳିଥିଲା । ସେହିପରି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ବରେ ଥିବ ଟି.ଅପାଙ୍କ ଆଓଙ୍କୁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ପଦରୁ ଦାୟିତ୍ବ ମୁକ୍ତ କରାଯାଇଥିଲା। ଶ୍ରୀ ସାହୁ ଉତ୍ତରାଞ୍ଚଳ ଆରଡିସି ଭାବେ କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ଆଓ ଦାୟିତ୍ବ ମୁକ୍ତ ହେବେ। ଏହାସହିତ ପ୍ରଥମ କରି ଆୟୁଷ ନିର୍ଦ୍ଦେଶକ ପଦରେ ଜଣେ ଆଇଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲା।