ସମ୍ବଲପୁର: କିସିଣ୍ଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀ ରାଜଧାନୀ ଦିଲ୍ଲୀରେ ଅନ୍ତଃସତ୍ତ୍ୱା ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗତ ବର୍ଷଠାରୁ ସେ ଦିଲ୍ଲୀରେ ରହି ନୋଇଡାରେ ଜଣଙ୍କ ଘରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ଜଣେ ପଡ଼ୋଶୀ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ତେବେ ଯୁବତୀଙ୍କୁ ଉକ୍ତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। କିନ୍ତୁ ସେ ୫ ମାସର ଅନ୍ତଃସତ୍ତ୍ୱା ହେବା ପରେ ତାଙ୍କୁ କାମରୁ କାଢ଼ି ଦିଆଯାଇଥିଲା। ସେ ସମ୍ବଲପୁର ଫେରିବା ପରେ ପରିବାର ଲୋକେ ମଧ୍ୟ ଘଟଣା ସମ୍ପର୍କରେ ଜାଣି ପାରିଥିଲେ। ତେବେ ଲୋକ ଲଜ୍ଜା ଭୟରେ ଗତ ୧୩ ତାରିଖରେ ଯୁବତୀଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।