ରଥକାଠ ଅନୁକୂଳ: ଶ୍ରୀଜିଉଙ୍କ ତିନି ରଥ ପାଇଁ ଖଳାରେ ପୂଜା ହେଲା କାଠ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

ପୁରୀ: ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ଆଜି ପବିତ୍ର ବସନ୍ତ ପଞ୍ଚମୀରେ ସଂପନ୍ନ ହୋଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ରାଜନଅର ପକ୍ଷରୁ ପରମ୍ପରା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ରଥକାଠକୁ ପୂଜା କରାଯାଇଛି। ଦେବୀପ୍ରସାଦ ରାଜଗୁରୁ ଓ ଅନ୍ୟମାନେ ରଥକାଠ ପୂଜାର୍ଚ୍ଚନା କରିଛନ୍ତି।

ଆଗକାଳରୁ ନଦୀରେ ରଥକାଠ ଅଣାଯାଉଥିଲା। ଏହି ଦୃଷ୍ଟିରୁ ବସନ୍ତ ପଞ୍ଚମୀକୁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବାର ଏକ ସମୟ ଧାର୍ଯ୍ୟ ହେଉଥିଲା। ଅତୀତରୁ ପାଳିତ ହୋଇ ଆସୁଥିବା ଏହି ପରମ୍ପରା ଆଜି ସୁଧା ବଜାୟ ରହିଛି। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଭିତରେ ଆବଶ୍ୟକ କାଠ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ଶ୍ରୀଜିଉଙ୍କ ରଥଯାତ୍ରା ଚଳିତ ବର୍ଷ ଜୁନ୍‌ ୨୩ରେ ଅନୁଷ୍ଠିତ ହେବ। ରଥଯାତ୍ରା ପାଖାପାଖି ୫ ମାସ ପରେ ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ରଥ ପାଇଁ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଗତ ୨୫ ତାରିଖରେ ରଥଗୁଡ଼ିକ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବନାଞ୍ଚଳରୁ ୨ଟି ଟ୍ରକ୍‌ରେ ପ୍ରଥମ ପର୍ଯ୍ୟାୟର କାଠ ଆସିଛି। ଏପର୍ଯ୍ୟନ୍ତ ମୋଟ ୫୩ ଖଣ୍ଡ ଅସନ ଓ ଧଉରା କାଠ ଆସିଛି। ଏଥିରେ ୧୨ ଫୁଟ ଓ ୨୦ ଫୁଟ ବିଶିଷ୍ଟ କାଠ ସାମିଲ ଅଛି। ୨୦ ଫୁଟ ବିଶିଷ୍ଟ ୧୯ଟି କାଠ ଆସିଥିବା ବେଳେ ଏଥିରେ ୧୧ଟି ଅସନ ଓ ୮ଟି ଧଉରା କାଠ ରହିଛି। ସେହିପରି ୩୪ଟି ୧୨ ଫୁଟ ବିଶିଷ୍ଟ କାଠାରୁ ୧୦ଟି ଅସନ ଥିବା ବେଳେ ଧଉରା କାଠ ସଂଖ୍ୟା ୨୪।