ଭିଡିଓ କନଫରେନସିଂ ମାଧ୍ୟମରେ ହେବ ଅପରାଧୀଙ୍କ ଜେରା

ଅପରାଧ ଓଡିଶା ରାଜ୍ୟ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧିଙ୍କୁ କୋର୍ଟକୁ ଜେରା ପାଇଁ ନେଲା ବେଳେ ପୁଲିସକୁ ଚକମା ଦେଇ ଖସିଯିବାର ଅନେକ ନଜିର ରହିଛି । ଯାହାକୁ ନେଇ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଥାଏ । ଏଥିପାଇଁ ପୁଲିସ ଉପରେ ମଧ୍ୟ ଚାପରେ ଥାଏ । ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଗୃହ ବିଭାଗ ଏକ ନୂଆ ନିଷ୍ପତ୍ତି ନେଇଛି । ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫରେନସିଂ ମାଧ୍ୟମରେ ଅପରାଧୀଙ୍କର ଜେରା ହେବ । ଏଥିପାଇଁ ପାଇଁ ଆଇନ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨ଟି ଜିଲ୍ଲା ପରେ ଅନ୍ୟ ଜିଲ୍ଲାରେ ଏହି ଭିଡିଓ କନଫରେନସିଂ ଜେରା ବ୍ୟବସ୍ଥାକୁ ଲାଗୁ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାର ଭିତ୍ତିଭୂମି ସୁଦୃଢ କରି କଏଦୀଙ୍କୁ ଜେରା କରାଯିବ ।

ଗୃହ ବିଭାଗ ପକ୍ଷରୁ ଏ ନେଇ ୨ଟି ଜିଲ୍ଲାରେ ଜମି ଚିହ୍ନଟ ପ୍ରକ୍ରିୟା ସାରି ଦୁ୍ର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ଭିଡିଓ କନଫରେନସିଂ କକ୍ଷ କରାଯିବ । ଏହା ଦ୍ୱାରା ଅପରାଧୀଙ୍କୁ ଜେଲରୁ କୋର୍ଟକୁ ନେବା ଆଣିବା ଖର୍ଚ୍ଚ କମିଯିବ । ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧିନ ରହିବ । ବଡ କଥା ଯେ ଅପରାଧୀଙ୍କୁ ପୁଲିସ ଆଣୁଥିବା ସମୟରେ ଖସି ପଳେଇବା ବା ଅଘଟଣ ଘଟେଇବା ଭଳି ଘଟଣାରେ ରୋକ ଲାଗିପାରିବ ।