ଭାଇ ହେଲା ଭଗାରୀ,ସିଦ୍ଧି ହାସଲ ପାଇଁ ଭଉଣୀକୁ ଦେଲା ବଳି; ଜଙ୍ଗଲରୁ ଉଦ୍ଧାର ହେଲା ଭଉଣୀର ମୁଣ୍ଡ ବିହୀନ ଗଳିତ ଶବ

ଅପରାଧ ଓଡିଶା ଜିଲ୍ଲା ବଡ ଖବର ବଲାଙ୍ଗୀର ରାଜ୍ୟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁର ଜଣେ ଯୁବକକୁ ପୁଲିସ ନିଜ ଭଉଣୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଶୋଭାବନ ବୋଲି ଜଣାପଡ଼ିଛି। ଗିରଫ ହେବା ପରେ ଶୋଭାବନ ପୁଲିସ ନିକଟରେ ନିଜର ଦୋଷକୁ ସ୍ୱୀକାର ବି କରିଛି ।

ସୂଚନାଯୋଗ୍ୟ, ଡିସେମ୍ବର ୨୪ ତାରିଖରେ ଭାଇ ଶୋଭାବନକୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ଭଉଣୀ ଜନନୀ ନିଖୋଜ ହୋଇଯାଇଥିଲା। ଏହାପରେ ଗ୍ରାମବାସୀ ଜନନୀକୁ ଯେତେ ଖୋଜାଖୋଜି କରିଥିଲେ ବି ପାଇ ନ ଥିଲେ। ପୂର୍ବରୁ ଅର୍ଥାତ ଗତ ୨୦୧୮ ଅକ୍ଟୋବର ୧୩ ତାରିଖରେ ଶୋଭାବନ ନିଜର ମାମୁ ପୁଅ ଭାଇ ମିଥୁନକୁ ବଳି ଦେଇ ଗିରଫ ହୋଇ ଜେଲ୍‌ ଯାଇଥିଲା। ନିକଟରେ ସେ ଜେଲରୁ ଜାମିନ୍‌ରେ ଆସିଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କର ଶୋଭାବନ ଉପରେ ସନ୍ଦେହ ହୋଇଥିଲା।

ଏହାପରେ ଗାଁର ଶତାଧିକ ମହିଳା ଓ ପୁରୁଷ ଡିସେମ୍ବର ୨୯ ତାରିଖରେ ଶୋଭାବନକୁ ଗିରଫ ଦାବି ନେଇ ସିନ୍ଧେକେଲା ଥାନା ଘେରାଉ କରିଥିଲେ। ଘଟଣା ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଲିସ ଶୋଭାବନକୁ ଅଟକ ରଖି ପଚରାଉଚରା କରିଥିଲା।

 

ଶୋଭାବନ ବି ପୁଲିସ ନିକଟରେ ନିଜର ଦୋଷକୁ ସୀକାର କରି କହିଥିଲା, ‘ଅନ୍ଧ ବିଶ୍ୱାସର ମୋହ ମାୟାରେ ସାନ ଭଉଣୀକୁ ବଳି ଦେଇ ସିଦ୍ଧି ହାସଲ କରିବାକୁ ଚାହୁଁଥିଲି। ତେଣୁ ତାକୁ ଡୁଙ୍ଗି ଚକା ଡୁଙ୍ଗୁରିକୁ ନେଇ ପୂଜାର୍ଚ୍ଚନା କରିବା ପରେ ଶରୀରରୁ ମୁଣ୍ଡକୁ ଅଲଗା କରି ହତ୍ୟା କରିଥିଲି।’ ଜନନୀକୁ ହତ୍ୟା କରିଥିବା ନେଇ ଶୋଭାବନ ସ୍ୱୀକାର କରିବା ପରେ ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ସହିତ ପୁଲିସ୍‌ ମୃତଦେହ ଉଦ୍ଧାର କରିବାକୁ ବରକାନୀ ଗାଁର ଗୁଜିଚକା ଜଙ୍ଗଲରେ ଯାଇ ପହଞ୍ଚିଥିଲା।